ଚର୍ଚ୍ଚାରେ ପ୍ରେମର ବଲିଉଡ ଫର୍ମୁଲା । ବଲାଙ୍ଗୀର ବନ୍ଧକ ଘଟଣାର ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ ଭୟଭୀତ କରିବାକୁ ଦେଖାଇଥିଲି ବନ୍ଧୁକ

171

କନକ ବ୍ୟୁରୋ: ହୁଏତ, ଫିଲ୍ମର ଦୃଶ୍ୟ ସହ ସାମଞ୍ଜସ୍ୟ ରହିଛି ବଲାଙ୍ଗୀର ବନ୍ଧୁକଧାରୀ ପ୍ରେମିକଙ୍କ ପ୍ରେମ କାହାଣୀ । ଆଉ ପ୍ରେମିକର ବାଟରେ ଯେତେବେଳେ ପରିବାର ଲୋକ ବାଧା ଦେଇଥିଲେ, ଉତକ୍ଷୀପ୍ତ ହୋଇଉଠିଥିଲା ବିକ୍ରମ୍ ପଣ୍ଡା । ଚରିତ୍ର ଭଳି ବଦଳିଯାଇଥିଲା ଚେହେରା ଓ ଭାବଭଙ୍ଗୀ ।

ବଲାଙ୍ଗୀରରେ ଏକ ସାଇବର କେଫେ ଦେଇଥିଲା ଉନ୍ମତକାଣ୍ଡ ଭିଆଇଥିବା ବିକ୍ରମ ପଣ୍ଡା । ୩ ବର୍ଷ ତଳେ ସଂପୃକ୍ତ ଯୁବତୀଙ୍କ ବିକ୍ରମର ଦୋକାନକୁ ଅନ୍ଲାଇନ୍ ଆବେଦନ ଆଦି ପାଇଁ ଆସୁଥିଲେ । ସେଠୁ ଉଭୟଙ୍କ ଭିତରେ ସମ୍ପର୍କ ଗଢ଼ିଉଠିଥିଲା । ଏହାରି ଭିତରେ ଯୁବତୀ ଜଣକ ଚାକିରି ପାଇଯାଇଥିଲେ । ଆଉ ତାଙ୍କୁ ଜଣେ ସରକାରୀ ଚାକିରିଆଙ୍କ ସହ ବାହାଘର କରିବାକୁ ଚାହୁଁଥିଲେ ପରିବାର ଲୋକ । ଏମିତି କି ଏହି ସମ୍ପର୍କକୁ ଟାଇମ୍ ପାସ୍ର ଆଖ୍ୟା ଦେଇଥିବା ଅଭିଯୋଗ କରିଛି ବିକ୍ରମ ପଣ୍ଡା ।

ଏତେ ବଡ଼ କାଣ୍ଡ ଘଟାଇବା ପରେ ବି ଏଥିପାଇଁ ଦୁଃଖ କିମ୍ବା ପଶ୍ଚାତାପ ନାହିଁ ବୋଲି କ୍ୟାମେରା ଆଗରେ କହିଛି ବିକ୍ରମ । କିନ୍ତୁ ପୁରା ଘଟଣା ପଛରେ ପ୍ରେମ ହିଁ କାରଣ ବୋଲି ପୁଲିସ୍ ସ୍ପଷ୍ଟ କରିଛି । ତେବେ ହତ୍ୟା ନୁହେଁ ବରଂ ଭୟଭୀତ କରିବାକୁ ୩ଜଣଙ୍କୁ ବନ୍ଧକ ରଖିଥିବା ଅଭିଯୁକ୍ତ କହିଥିବା ବେଳେ ୨ଟି ମାମଲା ରୁଜୁ ହୋଇଛି ।

ବଡ଼ କଥା ହେଉଛି- ଅଭିଯୁକ୍ତ ବିକ୍ରମ ପଣ୍ଡା ପାଖରୁ ଜବତ ହୋଇଛି ବନ୍ଧୁକ । ଯେଉଁ ବନ୍ଧୁକର ଲାଇସେନ୍ସ ନାହିଁ । ବିକ୍ରମ୍ ବୌଦ୍ଧରୁ ଚୋରାରେ ଏହି ବନ୍ଧୁକ ଆଣିଥିବା ପୁଲିସ୍ ସୂଚନା ଦେଇଛି । ସେହିପରି ମାମୁଁ ଘରରର ୩ ଜଣଙ୍କୁ ବନ୍ଧକ ରଖିବା ପାଇଁ ଯାଇଥିବା ବେଳେ ତା ବ୍ୟାଗ୍ରୁ ମାରଣାସ୍ତ୍ର ବି ଜବତ ହୋଇଥିଲା ।

ପ୍ରେମରେ ହିତାହିତ ଜ୍ଞାନ ଭୁଲି ଫିଲ୍ମ ଷ୍ଟାଇଲରେ ଅପରାଧର ଯେଉଁ ବାଟଟି ଆପଣାଇ ଦେଲା ବିକ୍ରମ୍ ପଣ୍ଡା, ସେହି ଭୁଲ ବାଟ ଆଜି ତାକୁ ଆଜି ଜେଲର କୋଠକୁ ଟାଣି ନେଇଛି ।