ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦଯାପିତ । ଭାଗ ନେଇଥିବା ପରିବାରକୁ ଦଶ ହଜାର ଟଙ୍କା ମାନଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

95

କନକ ବ୍ୟୁରୋ: ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ ।

ଗାଁର ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ । ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ୱରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମର ଅନ୍ତିମ ଦିବସରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଅର୍ଥ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ। ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି । ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର । କିଛି ବର୍ଷ ପୂର୍ବେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ନ ଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥିବା ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଚାଲି ଚାଲି ପୁରା ଗାଁ ବୁଲି ଦେଖିଥିଲେ । ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଦେଇଥିଲା । ସାରା ଗାଁଟି ତାଙ୍କୁ ଏକ ଆର୍ଟ ଗ୍ୟାଲେରି ପରି ଲାଗିଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ।