ପେଗାସସ୍ ମାମଲା : କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ, ୧୦ ଦିନ ମଧ୍ୟରେ ଆଉଥରେ ଶୁଣାଣି

85

କନକ ବ୍ୟୁରୋ : ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ୍ ମାଗିଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି, ଏହି ମାମଲାରେ କୌଣସି ନିରପେକ୍ଷ ଯାଂଚ ଏଜେନ୍ସି ଦ୍ୱାରା ଯାଂଚ ହେବା ଆବଶ୍ୟକ କି ନୁହେଁ ? ।

ଏହା ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ କି, ପେଗାସସ୍ ଗୁପ୍ତଚର ମାମଲାରେ ସରକାରଙ୍କ ଆଭିମୁଖ୍ୟ କ’ଣ ? ଏନେଇ କେନ୍ଦ୍ରସରକାର ଏକ ଶପଥ ପତ୍ର ଦାଖଲ କରି କହିଥିଲେ ଯେ, ନିୟମ ପାଳନ ନକରି ଭାରତରେ କୌଣସି ତଦାରଖ ହୁଏ ନାହିଁ । ଏହାସହ ସରକାର ଏହି ଘଟଣାରେ ଏକ କମିଟି ଗଠନ କରିବାକୁ ପ୍ରସ୍ତୁତ ବୋଲି ଶପଥ ପତ୍ରରେ ଦର୍ଶାଇଥିଲେ ।
କେନ୍ଦ୍ର ସରକାରଙ୍କର ଏଭଳି ଜବାବରେ କୋର୍ଟ ସନ୍ତୋଷ୍ଟ ହୋଇ ନାହାନ୍ତି । କୋର୍ଟ ସୋମବାରଦିନ କେନ୍ଦ୍ର ସରକାରଙ୍କୁ କହିଥିଲେ କି ଏନେଇ ଏକ ବିସ୍ତୃତ ଶପଥପତ୍ର ଦାଖଲ କରି କହିବା ଦରକାର କି ପେଗାସସ୍ ସଫ୍ଟୱେୟାର ସହାୟତାରେ ଭାରତର କୌଣସି ଲୋକଙ୍କ ଫୋନ ଟ୍ୟାପିଂ ହୋଇଛି କି ନାହିଁ ? ଯଦି ହୋଇଛି, ଏଥିରେ ନିୟମ ପାଳନ କରାଯାଇଛି କି ନାହିଁ ସରକାର ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ କହିଛନ୍ତି ।

ମଙ୍ଗଳବାର ହୋଇଥିବା ଶୁଣାଣିରେ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କୋର୍ଟକୁ କହିଥିଲେ କି ସରକାର ଏନେଇ ଅଧିକ କିଛି କହିପାରିବେ ନାହିଁ । କାରଣ ଏହା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ । ମେହେଟ୍ଟାଙ୍କ ଏଭଳି ଯୁକ୍ତି ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ନିରପେକ୍ଷ ଯାଂଚ କରାଇବା ଉପରେ ଜବାବ୍ ମାଗିଛନ୍ତି ।
ଅନ୍ୟପଟେ କୋର୍ଟ ମଙ୍ଗଳବାର ଦିନ ସ୍ପଷ୍ଟ କରିଛନ୍ତି କି ସରକାରଙ୍କ ଜବାବ ଆସିବା ପରେ କୋର୍ଟ ନିଷ୍ପତ୍ତି କରିବ କି ଏହି ମାମଲାରେ କେଉଁ ପ୍ରକାର ଯାଂଚ ହେବ ଓ ଏହି ଯାଂଚ କମିଟିରେ କିଏ ରହିବେ । ଏହା ସହ ଏହି ମାମଲାର ପରବତ୍ତି ଶୁଣାଣି ୧୦ ଦିନ ମଧ୍ୟରେ ହେବ ବୋଲି କୋର୍ଟ କହିଛନ୍ତି ।