ଆଫଗାନିସ୍ତାନରେ ତାଲିବାନ ରାଜ ପରେ ଭାରତ ଉପରେ ସମସ୍ତଙ୍କ ନଜର : ତାଲିବାନ କହିଲା, ନିଜ ପ୍ରକଳ୍ପ ଶେଷ କରୁ ଭାରତ

9,488

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତର ଆଭିମୁଖ୍ୟ କ’ଣ ହେବ ଓ ପଡୋଶୀ ଦେଶ ହିସାବରେ ଭାରତ ଉପରେ ଏହାର କଣ ପ୍ରଭାବ ପଡିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ବର୍ତମାନ ସୁଦ୍ଧା ତାଲିବାନ ନେଇ ଭାରତ ନିଜର ସ୍ଥିତି ସ୍ପଷ୍ଟ କରିନାହିଁ । କେନ୍ଦ୍ର ସରକାର ବି ଏ ବାବଦରେ କୌଣସି ଔପଚାରିକ ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ ପାକିସ୍ତାନ ମିଡିଆକୁ ତାଲିବାନ ମୁଖପାତ୍ର କହିଛନ୍ତି, ଭାରତ ଆଫଗାନିସ୍ତାନରେ ନିଜ ସବୁ ଯୋଜନାକୁ ଶେଷ କରୁ ।

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ତାଲିବାନ ମ୍ରୁଖପାତ୍ର ସୋହେଲ ସାହିନ କହିଛନ୍ତି, ତାଲିବାନ ଆଫଗାନିସ୍ତାନ ମାଟିରେ ଅନ୍ୟ କୌଣସି ଦେଶ ବିରୋଧରେ ଚକ୍ରାନ୍ତ କରିବାକୁ ସୁଯୋଗ ଦେବ ନାହିଁ । ଆଫଗାନିସ୍ତାନରେ ପ୍ରାୟ ୧୭୦୦ ଭାରତୀୟ ରହୁଛନ୍ତି । ଏହାଛଡା ଭାରତ ଆଫଗାନିସ୍ତାନର ବିଭିନ୍ନ ବିକାଶମୂଳକ ଯୋଜନାରେ ପ୍ରାୟ ୩ ଆରବ ଡଲାଲର ନିବେଶ କରିଛି । ତେଣୁ ଏହାର ଭବିଷ୍ୟତ ଉପରେ ଏବେ ବଡ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତ ଦୁଇଟି ଦିଗ ଉପରେ ବିଚାର କରିପାରେ । ପ୍ରଥମ କଥା ହେଲା, ଭାରତ ଆଫଗାନିସ୍ତାନ ସହ ସମ୍ପର୍କ ରଖିବ । ଦ୍ୱିତୀୟ କଥା ହେଲା, ୯୦ ଦଶକ ଭଳି ସମସ୍ତ ସମ୍ପର୍କ ଛିନ୍ନ କରିବ । ତେବେ ବର୍ତମାନ ଯାହା ସ୍ଥିତି, ଭାରତର ଔପଚାରିକ ମନ୍ତବ୍ୟକୁ ଅପେକ୍ଷା କରାଯାଇଛି ।