ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି : ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନଲାଇନ୍ ଆବେଦନ

1,038

କନକ ବ୍ୟୁରୋ : ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ ପୂରଣ କରି ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେପ୍ଟେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା‌ ସହ ୧୪ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ଛାତ୍ରଛାତ୍ରୀ ସାମ୍‌ସ ପୋର୍ଟାଲରେ ନାମଲେଖା ଫି’ ଦାଖଲ କରିପାରିବେ ।

୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ । ୨୨ରୁ ୨୫ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ । ଏହାପରେ ବି ଖାଲି ପଡ଼ୁଥିବା ସିଟ୍‌ ପୂରଣ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତୀ ସମୟରେ ନିୟମାବଳୀ ପ୍ରକାଶ କରାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ଆଡମିସନ ହେଲ୍‌ପଲାଇନ୍‌ ନମ୍ବର (୧୫୫୩୩୫/୧୮୦୦୩୪୫୬୭୭୦) ଜାରି ହୋଇଛି ।

ନାମଲେଖା ସମୟରେ ସତର୍କତା ଅବଲମ୍ବନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯୁକ୍ତ୨ ପରୀକ୍ଷା ପରେ କେତେକ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ ତଥା ସମର କୋର୍ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ଯୁକ୍ତ୨ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ଆଦି ସଂଗ୍ରହ କରିଥାନ୍ତି। ଏଭଳି ପ୍ରଲୋଭନରୁ ଛାତ୍ରଛାତ୍ରୀ ଦୂରେଇ ରୁହନ୍ତୁ । ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କୌଣସି ଶିକ୍ଷାନୁଷ୍ଠାନକୁ ଦିଅନ୍ତୁ ନାହିଁ । ଅ

ନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିବାକୁ ହେଉଥିବାରୁ କୌଣସି ବ୍ୟକ୍ତିଙ୍କୁ ନାମଲେଖା ବାବଦରେ ଟଙ୍କା ନ ଦେବାକୁ ପରାମର୍ଶ ଦିଆଯାଇଛି । ସିଏଏଫ୍‌ ଅନ୍‌ଲାଇନ୍‌ରେ ଦାଖଲ କରିବା ସମୟରେ ନିଜର ୟୁଜର ଆଇଡି ଓ ପାସ୍‌ୱାର୍ଡକୁ ସୁରକ୍ଷିତ ରଖନ୍ତୁ। ସଠିକ୍‌ ଫୋନ୍‌ ନମ୍ବର, ଇ-ମେଲ୍‌ ତଥା ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଆଦି ବ୍ୟବହାର କରନ୍ତୁ । ଫୋନ୍‌ ନମ୍ବର ଓ ବ୍ୟଙ୍କ ସମ୍ବନ୍ଧୀୟ ତଥ୍ୟକୁ ନାମଲେଖା ପ୍ରକ୍ରିୟା ନ ସରିବା ପର୍ଯ୍ୟନ୍ତ ବଦଳ ବା ବନ୍ଦ କରିବେ ନାହିଁ ।