ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍ । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ।

187

କନକ ବ୍ୟୁରୋ : ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ତେବେ ଚଳିତ ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ବଜେଟ୍ ଅନୁଯାୟୀ, କାଳିଆ ଯୋଜନା ଅଧୀନରେ ୫୦ ହଜାର ଯାଏଁ ଶୂନ ପ୍ରତିଶତ ସୁଧ ହାରରେ କୃଷି ଋଣ ଉପଲବ୍ଧ କରାଯିବ । ସେହିପରି ଚାଷୀମାନଙ୍କୁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଶତକଡା ୨ ପ୍ରତିଶତ ରିହାତି ସୁଧରେ ଯୋଗାଇ ଦିଆଯିବ । ଏଥିପାଇଁ ଇଣ୍ଟରେଷ୍ଟ ସବସିଡି ଯୋଜନାରେ ଚାଷୀମାନଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୮୧୯କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି, କୃଷି ଆମ ପାଇଁ ଏକ ସ୍ୱାସ୍ଥ୍ୟପ୍ରଦ, ସାର୍ଥକ ଏବଂ ମହତ କାମ । କୃଷି ଆମ ଅର୍ଥନୀତିର ଜୀବନ ରେଖା ।

କାଳିଆ ଯୋଜନା ପରିସରଭୁକ୍ତ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ କାଳିଆ ମେଧାବୃତ୍ତି ପ୍ରଦାନ କରାଯିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଉକ୍ତ ସହାୟତାକୁ ଚାଲୁ ରଖିବା ନିମନ୍ତେ କାଳିଆ ଯୋଜନାରେ ୧ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ ରହିଛି ।

ଉତ୍ତମ ମାନର ଫସଲ ଉତ୍ପାଦନ ପାଇଁ ବିହନ ଏବଂ ସାର ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥିବାରୁ ଚାଷୀମାନଙ୍କୁ ଆଗୁଆ ବିହନ ଯୋଗାଇଦେବା ପାଇଁ ୧ ଶହ କୋଟି ଟଙ୍କା ଏବଂ ସାର ଯୋଗାଇଦେବା ପାଇଁ ଆଉ ୧ ଶହ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠିର ବ୍ୟବସ୍ଥା କରାଯାଇଛି ।