ସ୍ୱାସ୍ଥ୍ୟସେବା ଲାଗି ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ । ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେଲା ରାଜ୍ୟ ବଜେଟ୍ ।

233

କନକ ବ୍ୟୁରୋ : ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ୍ ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ବିଗତ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧,୩୫୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ପାଇଁ ୧,୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧,୭୫୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ନିର୍ମଳ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାର ମାନର ଉନ୍ନତି, ଲଣ୍ଡ୍ରୀ, ସୁରକ୍ଷା, ଉଦ୍ୟାନ ଏବଂ ଲିଫ୍ଟ ସେବା ପାଇଁ ୩୭୦ କୋଟି ଟଙ୍କାର ବ୍ୟବସ୍ଥା । ସେହିପରି ନିରାମୟ ଯୋଜନା ଅଧୀନରେ ନିଃଶୁଳ୍କ ଔଷଧ ପାଇଁ ୬୦୦ କୋଟି, ନିଦାନ ଯୋଜନା ଅଧୀନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୨୯ କୋଟି ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧୀନରେ ୧୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି ।

ଏସସିବିକୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନେର ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାର ୫ ଶହ କୋଟି ଟଙ୍କା ବ୍ୟୟରେ ଏସସିବିକୁ ଏକ ୫ହଜାର ଶଯ୍ୟାବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତିତ କରିବା ପାଇଁ ଏକ ବୃହତ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ । ଏଥିପାଇଁ ୨୦୨୧-୨୨ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି ।