ଟୁଲକିଟ୍ ମାମଲାରେ ଦିନିକିଆ ରିମାଣ୍ଡରେ ଯିବେ ଦିଶା ରବି । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିଙ୍କୁ ଏକାଠି ପଚାରଉଚୁରା କରିବ ଦିଲ୍ଲୀ ପୋଲିସ ।

73

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ୍ ମାମଲାକୁ ନେଇ ସୋମବାର ଦିଶା ରବିଙ୍କୁ କୋର୍ଟରେ ହାଜର କରାଯାଇଛି । ଯେଉଁଠି କୋର୍ଟ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଦିଲ୍ଲୀ ପୋଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଦାବି କରିଥିଲା । ହେଲେ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ କେବଳ ଗୋଟିଏ ଦିନ ପାଇଁ ଦିଶା ରବିଙ୍କୁ ରିମାଣ୍ଡରେ ଛାଡିଛନ୍ତି ।

ରିମାଣ୍ଡ ଆବେଦନର ଶୁଣାଣି ସମୟରେ ଦିଶା ରବିଙ୍କ ଓକିଲ କହିଥିଲେ ଯେ, ମୋବାଇଲରେ ଯାହା ବି କିଛି ସୂଚନା ଥିଲା ସେସବୁ ପୋଲିସ ପାଖରେ ଅଛି । ତେଣୁ ସେ ଦିଶାଙ୍କ ରିମାଣ୍ଡ ଯିବା କଥାକୁ ବିରୋଧ କରିଥିଲେ। ଅପରପକ୍ଷେ ଦିଲ୍ଲୀ ପୋଲିସ ଏହି ଘଟଣାରେ ଉତ୍ତର ରଖି କହିଥିଲା, ଦିଶାଙ୍କ ପାଖରୁ ସେମାନେ ସନ୍ତୋଷ ଜନକ ଉତ୍ତର ପାଇନାହାନ୍ତି ତେଣୁ ପୁଣିଥରେ ରିମାଣ୍ଡ ପାଇଁ ଦାବି କରିଥିଲେ ।

ରିମାଣ୍ଡରେ ଆସିବା ପରେ ଦିଲ୍ଲୀ ପୋଲିସ ଦିଶା ରବିଙ୍କୁ ଅନ୍ୟ ଦୋଷୀଙ୍କ ସହ ବସାଇ ପଚରାଉଚୁରା କରିବ । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିକୁ ଆଗରେ ବସାଇ ପୋଲିସ ପଚାରଉଚୁରା କରିବ । କାହିଁକି ନାଁ ପୂର୍ବ ରିମାଣ୍ଡ ସମୟରେ ଦିଶା ରବି ଟୁଲକିଟ୍ ସମ୍ବନ୍ଧୀୟ ସମସ୍ତ ଦୋଷ ନିକିତା ଓ ଶାନ୍ତନୁ ଉପରେ ଲଦି ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦିଶା ରବି ଚାଷୀ ଆନ୍ଦୋଳନ ଭିତରେ ହିଂସା ସୃଷ୍ଟି କଲାଭଳି ଏକ ଟୁଲକିଟ୍ ପ୍ରସ୍ତୁତ କରିଥିଲେ । ଯାହାକୁ ନେଇ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ପୋଲିସ ଅଭିଯୋଗ କରିଥିଲା ଯେ, ଏହି ଟୁଲକିଟକୁ ନେଇ ହିଂସା ବଢିପାରେ ।