ଶଶୀ କପୁରଙ୍କୁ ଶେଷ ବିଦାୟ ! ମୁମ୍ବାଇର ସାନ୍ତାକ୍ରୁଜରେ ରାଜକୀୟ ସମ୍ମାନ ସହ ହେଲା ଶେଷକୃତ୍ୟ
କନକ ବ୍ୟୁରୋ : ବର୍ଷିଆନ ଅଭିନେତା ଶଶୀ କପୁରଙ୍କୁ ଶେଷ ବିଦାୟ । ମୁମ୍ବାଇର ସାଂଟାକ୍ରୁଜରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ରାଜକୀୟ ସମ୍ମାନ ସହ ଶଶୀଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅଭିନେତା ଶଶୀ କପୁରଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଶଶୀଙ୍କୁ ଶେଷ ଦର୍ଶନ ପାଇଁ ପହଁଚିଥିଲା ପୁରା ବଲିଉଡ୍ । ବଡ ବଡ ସେଲିବ୍ରିଟି, ଅଭିନେତା, ଅଭିନେତ୍ରୀ. ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ବଲିଉଡ୍ ସହ ଜଡିତ ସମସ୍ତ କଳାକାର ତାଂକୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଶଶୀ କପୁରଙ୍କ ଗତ କାଲି ମୁ୍ମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଜୁହୁ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ପାର୍ଥିକ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଶ୍ମସାନ ଅଣାଯିବା ପରେ ସେଠାରେ ରାଜକୀୟ ସମ୍ମାନ ସହ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଶେଷ ବିଦାୟ ଦେବାବେଳେ ତାଙ୍କ ଦୁଇ ପୁଅ କୁନାଲ, କରନ ଓ ଝିଅ ସଂଜାନଙ୍କ ସମେତ ପୁରା ପରିବାର ବର୍ଗ ଓ ସାରା ବଲିଉଡ ଉପସ୍ଥିତ ଥିଲା । ଦିୱାର, ସତ୍ୟମ -ଶିବମ-ସୁନ୍ଦରମ୍, ଜୁନୁନ୍, ସାନ୍ ଓ ନମକ ହଲାଲ ଭଳି ସୁପରହିଟ୍ ଚଳଚିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଏହି ଅଭିନେତାଙ୍କୁ ୨୦୧୧ରେ ପଦ୍ମଭୂଷଣ ଓ ୨୦୧୫ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଶଶୀ କପୁର ଶ୍ରଦ୍ଧାଂଜଳି ଦେଇଚନ୍ତି ବିଗ୍ ବି ଅମିତାଭ ବଚ୍ଚନ । ସେ ଏକ ବ୍ଲଗରେ ଶଶୀ ତାଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରିଚନ୍ତି । ତାଙ୍କ ସହିତ ସେ ଖୁବ୍ ଭଲ ସମୟ ବିତାଇଥିବା ସେ ଲେଖିଛନ୍ତି । ଏହା ସହ ଶଶୀ, ତାଙ୍କୁ ବବୁଆ ବୋଲି ସମ୍ବୋଧନ କରୁଥିଲେ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମ୍ୟାଗାଜିନରେ ଶଶୀ କପୁରଙ୍କ ପ୍ରଥମ ଫଟୋ ଦେଖିବା ଠାରୁ ଆରମ୍ଭ କରି ତାଙ୍କ ସହ ପ୍ରଥମ ସାକ୍ଷାତକାର ଓ ତାଙ୍କ ସହ କାମ କରିବା ସବୁ ଅଭିଜ୍ଞତା ବାଂଟିଛନ୍ତି ଅମିତାଭ ବଚ୍ଚନ ।
ଏହାସହ ଶଶୀ କପୁରଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ । ସେ ଶଶୀ କପୁରଙ୍କ ଏକ ପ୍ରସିଦ୍ଧ ଡାଏଲଗ ଲେଖା ଥିବା ଫଟୋକୁ ଟ୍ୱିଟ କରିଛନ୍ତି । ଏହାସହ ସେହୱାଗ ଲେଖିଛନ୍ତି ଯେ, ଶଶୀ କପୁର ଆଗାମୀ ପୀଢୀର ଅଭିନେତାଙ୍କ ପାଇଁ ସବୁବେଳେ ପ୍ରେରଣାଦାୟୀ ହୋଇ ରହିବେ । ସେହୱାଗଙ୍କ ସହ ଯୁବରାଜ ସିଂହ, ଭିଭିଏସ ଲକ୍ଷ୍ମଣ ଓ ହରଭଜନ ସିଂହ ମଧ୍ୟ ଶଶୀ କପୁରଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।