ଗିରଫ ହେଲେ ରୋଟୋମାକ୍ ମାଲିକ ବିକ୍ରମ କୋଠାରୀ! ୩,୭୦୦ କୋଟି ଟଙ୍କାର ମହାଠକକୁ ଗିରଫ କଲା ସିବିଆଇ , ଏକାଧିକ ଅଫିସ ସିଲ୍

43

କନକ ବ୍ୟୁରୋ : ଗିରଫ ହେଲେ ରୋଟୋମାକ୍ ମାଲିକ ବିକ୍ରମ କୋଠାରୀ ଓ ତାଙ୍କ ପୁଅ ରାହୁଲ କୋଠାରୀ । ୩ ହଜାର ୭ ଶହ କୋଟି ଟଙ୍କାର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ସିବିଆଇ । ପ୍ରବର୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଲମ୍ବା ସମୟ ଧରି ସେମାନଙ୍କୁ ଜେରା କରିଛି । ଏହା ସହ ରୋଟୋମାକ କମ୍ପାନୀର ବିଭିନ୍ନ ଅଫିସ ଉପରେ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ସିବିଆଇ ଓ ଇଡି । ଏକାଧିକ ସ୍ଥାନରେ ଅଫିସକୁ ସିଲ୍ ମଧ୍ୟ କରିଦିଆଯାଇଛି ।

କୋଠାରୀ ଓ ତାଙ୍କ ପୁଅଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୭, ୪୬୮ ଓ ୪୭୧ ଆଧାରରେ ମାମଲା ରୁଜୁ ହୋଇଛି । ଏହାଛଡା ପ୍ରିଭେନସନ୍ ଅଫ କରପ୍ସନ ଆକ୍ଟ ୧୮୮ର ଧାରା ୧୩ କ ଉପଧାରା ୨ ଓ ଉପଧାରା ୧ ଡି ଧାରା ମଧ୍ୟ ଲାଗୁ କରିଛି ସିବିଆଇ । ଦେଶର ପ୍ରମୁଖ ୭ଟି ବ୍ୟାଙ୍କରୁ ବିକ୍ରମ କୋଠାରୀ ପ୍ରାୟ ୩ହଜାର କୋଟିରୁ ଅଧିକ ଟଙ୍କାର ୠଣ ନେଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଏହାକୁ ପରିଶୋଧ କରି ନଥିଲେ । ଏହାକୁ ନେଇ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ବ୍ୟାଙ୍କରୁ ବିକ୍ରମ କୋଠାରୀ ୮୦୦ କୋଟି ଟଙ୍କା ଋଣ ନେଇଥିବା ଜଣାପଡିଛି ।