ରାଜ୍ୟସଭା ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ୧୭ଟି ରାଜ୍ୟର ୫୫ଟି ଆସନରେ ହେବ ନିର୍ବାଚନ, ଓଡ଼ିଶାରୁ ରହିଛି ୪ଟି ଆସନ ।

253

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶର ୧୭ଟି ରାଜ୍ୟର ୫୫ଟି ଆସନରେ ମାର୍ଚ୍ଚ ୨୬ ତାରିଖରେ ହେବ ନିର୍ବାଚନ । ଏଥିରେ ରହିଛି ଓଡ଼ିଶାର ୪ ଆସନ । ତେବେ ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାବେ । ସେହିଭଳି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ୧୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।

ଅନ୍ୟପଟେ ଏପ୍ରିଲ ମାସରେ ରଞ୍ଜିବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ , ନରେନ୍ଦ୍ର କୁମାର ସ୍ୱାଇଁ ଅବସର ନେବେ । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି । ତେଣୁ ଓଡିଶାର ଏହି ୪ ଆସନ ପାଇଁ ନିର୍ବାଚନ ହେବ । ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୧୩ ରହିଥିବାବେଳେ ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବ ।

ଏଥର ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ବାଚିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ରାଜ୍ୟସଭାର ଅନ୍ୟ ଗୋଟିଏ ସିଟ୍ ପାଇଁ କାହାକୁ ବାଛିବେ ଦଳର ସୁପ୍ରିମୋ ତାହା ଉପରେ ନଜର ରହିଛି । ଏହାପୂର୍ବରୁ ନବୀନ ନିବାସଠୁ ଆରମ୍ଭ କରି ଲୋକସେବା ଭବନ ଯାଏଁ ଲବି ଚାଲିଥିବା ଚର୍ଚ୍ଚା ମଧ୍ୟ ହେଉଛି । ଆଉ କୁଆଡେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିବାରେ ଲାଗିଛି ।