ଆରମ୍ଭ ହେଲାଣି ନାମଲେଖା ଋତୁ : ରାଜଧାନୀରେ ମାଳମାଳ ନକଲି ସ୍କୁଲ୍‌, ଅଭିଭାବକ ସାବଧାନ

479

କନକ ବ୍ୟୁରୋ : ଏପ୍ରିଲରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ୨୦୨୦-୨୧ ଶିକ୍ଷାବର୍ଷରେ ନାମଲେଖା ପାଇଁ କେତେକ ବିଦ୍ୟାଳୟରେ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆଉ କିଛି ବିଦ୍ୟାଳୟରେ ଖୁବ୍‌ଶୀଘ୍ର ପ୍ରବେଶିକା ପରୀକ୍ଷା କରି ପିଲାଙ୍କ ନାମଲେଖା କରାଇବେ। ‌ତେବେ ଏହି ନାମଲେଖା ଋତୁର ସୁଯୋଗ ନେଇ ‌ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ସହବନ୍ଧିତ ନାମଧାରୀ କିଛି ନକଲି ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସିବିଏସ୍‌ଇ ସହବନ୍ଧନ ନ ଥାଇ ମଧ୍ୟ ସ୍କୁଲ ନାମଫଳକରେ ସିବିଏସ୍‌ଇ ସହବନ୍ଧନ ପାଇଥିବା ଦର୍ଶାଇ ଅଭିଭାବକଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରୁଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଏନେଇ ଖବର ଆସିବା ପରେ ସିବିଏସ୍‌ଇ ପକ୍ଷରୁ ଅଭିଭାବକଙ୍କୁ ସଚେନତ କରାଯାଇଛି। ପିଲାଙ୍କ ନାମଲେଖା ପୂର୍ବରୁ ସିବିଏସ୍‌ଇ ୱେବସାଇଟ୍‌ ‘www.cbseaff.nic.in’ ରେ ସହବନ୍ଧିତ ସ୍କୁଲ ସମ୍ପର୍କରେ ସବିଶେଷ ତଥ୍ୟ ଯାଞ୍ଚ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏଭଳି ଅନେକ ନକଲି ବିଦ୍ୟାଳୟ କାୟା ମେଲାଇଛନ୍ତି। ‘ସିବିଏସ୍‌ଇ ଆଫିଲେଟେଡ୍‌’ ବୋଲି ଦର୍ଶାଇଛନ୍ତି। ବାହାରୁ ଦେଖିଲେ ସ୍କୁଲଟି ଅସଲି କି ନକଲି ସାଧାରଣ ଲୋକଙ୍କ ପକ୍ଷେ ଜାଣିବା କଷ୍ଟକର ହୋଇପଡ଼ିବ। ଅସଲରେ ସେମାନେ ସିବିଏସ୍‌ଇ ସହବନ୍ଧିତ ନୁହନ୍ତି। ‘ସିବିଏସ୍‌ଇ ପାର୍ଟନ’‌ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ହେଲେ ବିଦ୍ୟାଳୟ ଆଗରେ ଲଗାଇଥିବା ନାମଫଳକରେ ସିବିଏସ୍‌ଇ ଆଫିଲେଟେଡ୍‌ ବୋଲି ଲେଖି ଦେଉଛନ୍ତି। ଗତ ୪ରୁ ୫ବର୍ଷ ମଧ୍ୟରେ ଏଭଳି ଏକାଧିକ ନକଲି ସ୍କୁଲ ଧରାପଡ଼ିବା ପରେ ମାଲିକମାନେ ସ୍କୁଲରେ ତାଲା ପକାଇ ଛୁ’ ହୋଇଯାଇଛନ୍ତି। ଆଉ କିଛି ବିଦ୍ୟାଳୟ ଏବେ ବି ସେମାନଙ୍କ ପତିଆରା ରାଜଧାନୀରେ ଜାରି ରଖିଛନ୍ତି। ସେମାନଙ୍କୁ ଧରିବାକୁ ସିବିଏସ୍‌ଇ କିମ୍ବା ପ୍ରଶାସନର ହାତ ଯାଉନି। ଉଭୟ ପରସ୍ପରକୁ ଦୋଷ ଦେଇ ଖସି ଯିବାକୁ ବସିଛନ୍ତି। ପରିଣାମ ସ୍ୱରୂପ ଛାତ୍ରଛାତ୍ରୀ ଓ ଅଭିଭାବକ ଠକାମିର ଶିକାର ହେବାର ଆଶଙ୍କା ପ୍ରକାଶ ପାଇଛି।

ଆଜି ସୁଦ୍ଧା ଓଡ଼ିଶାର ୪୯୭ଟି ବିଦ୍ୟାଳୟ ସିବିଏସ୍‌ଇ ସହ ସହବନ୍ଧିତ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଧା ଜିଲ୍ଲାରେ ଏବେ ୫୮ଟି ସ୍କୁଲ ସିବିଏସ୍‌ଇ ସହବନ୍ଧିତ ରହିଛି। କେବଳ ଭୁବନେଶ୍ବରରେ ପାଖାପାଖି ୩୫ଟି ବିଦ୍ୟାଳୟ ରହିଥିବା ଜଣାପଡ଼ିଛି। ପାଖାପାଖି ୨୫ଟି ଏଭଳି ସ୍କୁଲ ରହିଛି, ଯେଉଁମାନେ ସିବିଏସ୍‌ଇ ସହବନ୍ଧନ ପାଇନାହାନ୍ତି। ଆଉ କେତେକ ବିଦ୍ୟାଳୟ ୫ଯାଏ ସହବନ୍ଧନ ପାଇଥିଲେ ମଧ୍ୟ ୮ମ, ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ଏଭଳି ଘଟଣା ନଜରକୁ ଆସିବା ପରେ ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅଭିଭାବକ ସେମାନଙ୍କ ପିଲାଙ୍କ ନାମଲେଖା କରିବା ପୂର୍ବରୁ ସ୍କୁଲର ସିବିଏସ୍‌ଇ ସହବନ୍ଧନ ରହିଛି କି ନାହିଁ, ଭିତ୍ତିଭୂମି ଅଛି କି ନାହିଁ, କ୍ଲାସରୁମ୍‌, ଶିକ୍ଷାଦାନ ପ୍ରଣାଳୀକୁ ଠିକ୍‌ ଭାବେ ଯାଞ୍ଚ କରନ୍ତୁ।
ନକଲି ପ୍ରତି ସାବଧାନ ହେବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟ ଯଦି ସିବିଏସ୍‌ଇଠାରୁ ଅନୁମତି ନ ପାଇ ଛାତ୍ରଛାତ୍ରୀଙ୍କ ନାମ ଲେଖାଉଛି, ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାରେ ଖବର ଦେବାକୁ ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ସିବିଏସ୍‌ଇ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କେତେକ ଅଣ ସହବନ୍ଧିତ ବିଦ୍ୟାଳୟ ବୋର୍ଡର ସହବନ୍ଧନ ପ୍ରକ୍ରିୟା ଲାଗି ବିନା ଆବେଦନରେ କିମ୍ବା ପ୍ରକୃତରେ ସହବନ୍ଧିତ ନ ହୋଇ ସ୍କୁଲ, ପ୍ରମୁଖ ସ୍ଥାନ ଓ ୱେବସାଇଟ୍‌ରେ ଡିସ୍‌ପ୍ଲେ ବୋର୍ଡ ଜରିଆରେ ଅଭିଭାବକଙ୍କୁ ଭୁଲ୍‌ ତଥ୍ୟ ଦେଉଛନ୍ତି। ତେଣୁ ପିଲାଙ୍କ ନାମଲେଖା ପୂର୍ବରୁ ଅଭିଭାବକମାନେ ‘www.cbse.nic.in’ ଓ ‘www.cbseaff.nic.in’ କୁ ଭଲ ଭାବେ ଯାଞ୍ଚ କରନ୍ତୁ। ସେମାନେ ବୋର୍ଡର ସହବନ୍ଧନ ୱେବସାଇଟ୍‌ରେ ସହବନ୍ଧିତ ସ୍କୁଲର ସ୍ଥିତି ଯାଞ୍ଚ କରି ନିଅନ୍ତୁ। ନିଜ ପିଲାଙ୍କୁ ସ୍କୁଲରେ ନାମଲେଖା ପୂର୍ବରୁ ବିଦ୍ୟାଳୟଟି କେଉଁ ଶ୍ରେଣୀ ପର୍ଯ୍ୟନ୍ତ ସହବନ୍ଧନ ମଞ୍ଜୁରୀ ପାଇଛି, ତାହାକୁ ବି ଭଲ ଭାବେ ଦେଖନ୍ତୁ। ଅଧିକ ସ୍ପଷ୍ଟୀକରଣ ପାଇଁ ସେମାନେ ବୋର୍ଡର କ୍ଷେତ୍ରୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ବୋଲି ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

ସବୁଠାରୁ ବଡ଼ କଥା ହେଉଛି ‌ଯେ ରାଜଧାନୀରେ ଏଭଳି ଅନେକ ସ୍କୁଲ ରହିଛି, ଯେଉଁମାନଙ୍କର ସିବିଏସ୍‌ଇ ସହବନ୍ଧନର ସମୟସୀମା ସରିଯାଇଛି। ନିୟମ ଅନୁଯାୟୀ, ଗୋଟିଏ ନର୍ଦ୍ଦିଷ୍ଟ ସମୟସୀମା ପାଇଁ ସ୍କୁଲ୍‌ଗୁଡ଼ିକ ଅନୁମତି ପାଇଥାନ୍ତି। ଏହି ସମୟ ସୀମା ସରିଯିବା ପରେ ପୁଣିଥରେ ଅନୁମତି ଆଣିବାକୁ ପଡ଼ିଥାଏ। ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସାଙ୍ଗକୁ ବିଦ୍ୟାଳୟଗୁଡ଼ିକର ବିଭିନ୍ନ ନିୟମ ପୂରଣ କରୁଥିବା ଆବଶ୍ୟକ। ହେଲେ କିଛି ସ୍କୁଲର ସମୟ ସୀମା ଇତି ମଧ୍ୟରେ ସରି ଯାଇଥିଲେ ମଧ୍ୟ ସିବିଏସ୍‌ଇଠାରୁ ଆଉ ଅନୁମତି ଆଣିନାହାନ୍ତି। ତା’ ପରେ ବି ପିଲାଙ୍କ ନାମ ଲେଖାଉଛନ୍ତି। ଏଭଳି ସ୍କୁଲରେ ନାମଲେଖା ହେବା ଦ୍ୱାରା ପିଲାମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ନାମଲେଖା ସମୟରେ ଅଭିଭାବକମାନେ ସିବିଏସ୍‌ଇ ୱେବସାଇଟ୍‌ରୁ ଭଲ ଭାବେ ଯାଞ୍ଚ କରିବାକୁ ସିବିଏସ୍‌ଇ ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି।