ରାଜସ୍ଥାନରେ ଇଏ କି ଶାସନ । ଆମ୍ବେଦକର ପୋଷ୍ଟରକୁ ବିରୋଧ କରି ଯୁବକଙ୍କୁ ପିଟି ପିଟି ହତ୍ୟା

301

କନକ ବ୍ୟୁରୋ : ରାଜସ୍ଥାନ ହନୁମାନଗଡ ଜିଲ୍ଲାରେ ଜଣେ ଯୁବକଙ୍କୁ କିଛି ଅସାମାଜିକ ବ୍ୟକ୍ତି ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହତ୍ୟା ଘଟଣା ପଛରେ କିଛି ଅନ୍ୟ ପଛୁଆବର୍ଗର ଲୋକଙ୍କ ହାତ ଥିବା କୁହାଯାଇଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ମୃତକ ଜଣଙ୍କ ହେଉଛନ୍ତି କିକସାଲିଆ ଗ୍ରାମରେ ରହୁଥିବା ଭୀମ୍ ଆର୍ମିର ସଦସ୍ୟ ବିନୋଦ ବାମନିଆ ।

ପିଡୀତ ପରିବାରର ଅଭିଯୋଗ ପରେ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ୨ ଜଣଙ୍କ ନାମରେ ବାବା ସାହେବ ଆମ୍ବେଦକରଙ୍କ ପୋଷ୍ଟର ଚିରିବା ଓ ବିନୋଦଙ୍କୁ ପିଟିବା ଅପରାଧରେ ମାମଲା ରୁଜୁ ହୋଇଛି ।

ସ୍ଥାନୀୟ ପୋଲିସର ସୂଚନା ମୁତାବକ ମୃତକ ଆଗରୁ ବି ବିଭିନ୍ନ ମାମଲା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ମୃତ ବିନୋଦଙ୍କ ସଂପର୍କୀୟ ଭାଇ ତଥା ମାଡପିଟ ଘଟଣାକୁ ନିଜ ଆଖିରେ ଦେଖିଥିବା ମୁକେଶ କହିଛନ୍ତି କି ବିନୋଦ ସେମାନଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେମାନେ ବିନୋଦକୁ ଅମାନୁଷିକ ଭାବେ ପିଟିଥିଲେ । ମୁଖ୍ୟ କଥା ଥିଲା କି ବିନୋଦ କିଛିଦିନ ତଳେ ଅନ୍ୟ କିଛି ଯୁବକଙ୍କ ସହ ମିଶି ଆମ୍ବେଦକର ଜୟନ୍ତୀ ପାଳନ କରିଥିଲା ଓ ଗାଁର ଘର ଘର ବୋଲି ସମସ୍ତଙ୍କ କାନ୍ଥରେ ଆମ୍ବେଦକରଙ୍କ ପୋଷ୍ଟର ଲଗାଇଥିଲା । ଅଭିଯୁକ୍ତ ମାନେ ଏହି ପୋଷ୍ଟରକୁ ଚିରିଦେବା ଫଳରେ ବିବାଦ ଆରମ୍ଭ ହୋଇଥିଲା ।

ପ୍ରଥମେ ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ୩୦୭ ଲଗାଇଥିଲା  । ହେଲେ ବିନୋଦଙ୍କ ମୃତ୍ୟୁ ପରେ ପୋଲିସ ହତ୍ୟା ଧାରା ୩୦୨,୩୨.୩୪୧,୧୪୩ ଓ ଏସ୍ସି ଏସଟି ଧାରାରେ ମାମଲା ରୁଜୁ କରିଛି । କହିବା କଥା କି ଦେଶରେ ଏବେ ଯୁବକ ମାନଙ୍କ ଭିତରେ  ଏକ ନୂଆ ଧାରା ଦେଖିବାକୁ ମିଳିଛି । ଯେଉଁ ବାବା ସାହାବେ ଦେଶକୁ ଏକ ସ୍ୱତନ୍ତ୍ର ଆଇନ ଦେବା ସହ ମଣିଷକୁ ତା’ର ଅଧିକାର ସାବ୍ୟସ୍ତ କରିବାକୁ ଆଇନରେ ସବୁ ବ୍ୟବସ୍ଥା କରିଦେଇଗଲେ ଆଜି ସେ ଦେଶର ଲୋକମାନଙ୍କ ଭିତରେ ଅପ୍ରାସଙ୍ଗିକ ହେଉଥିବା ନଜର ଆସୁଛି ।