ସାଥୀ ଓକିଲଙ୍କୁ ମରଣାନ୍ତକ ମାଡ଼ ମାରିବା ଅଭିଯୋଗ ବିବାଦରେ ପୁରୀ ଓକିଲ ! ଗିରଫ ହୋଇ ପାରୁନାହାଁନ୍ତି ଅପରାଧୀ

22

କନକ ବ୍ୟୁରୋ : ଲୋକଙ୍କୁ ନ୍ୟାୟ ଦେଉଥିବା ଓକିଲ ଏବେ ନିଜେ ନ୍ୟାୟ ଅପେକ୍ଷାରେ ପଡ଼ି ରହିଛନ୍ତି । ଯିଏ ଦିନେ କଳାକୋର୍ଟ ପିନ୍ଧି ଅଦାଲତକୁ ଧାଇଁ ଯାଉଥିଲେ ସେ ଆଜି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଦୀର୍ଘ ୨ ମାସ ଧରି ହସ୍ପିଟାଲ ବେଡରେ କୋମାରେ ପଡ଼ି ରହିବା ପରେ ଏବେ ଘରକୁ ଫେରିଛନ୍ତି ସତ, ହେଲେ ଏବେବି ତାଙ୍କ ମାନସିକ ସ୍ଥିତିରେ ସୁଧାର ଆସିନାହିଁ । ଯେଉଁଥି ପାଇଁ ତାଙ୍କୁ ଘରେ ହାତଗୋଡ଼ରେ ଶିକୁଳି ବାନ୍ଧି ରଖିବାକୁ ପଡ଼ିଛି ।

ଠିକ୍ ଅପରାହ୍ନ ୪ଟା, ସାମାନ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଜୟ ତ୍ରିପାଠୀଙ୍କୁ ମଣାନ୍ତକ ଆକ୍ରମଣ କରିଥିଲେ ସାଥୀ ଓକିଲ । ତୁରନ୍ତ ପୁରୀ ମୁଖ୍ୟ ଡାକ୍ତରଖାନାକୁ ନିଆଗଲା, ସେ’ଠୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ଜୀବନ ସିନା ବଂଚିଗଲା, ଦେଲେ ଦୀର୍ଘ ୨ ମାସ ଧରି କୋମାରେ ପଡ଼ି ରହିଲେ ସଂଜୟ । ଆଉ ଯେତେବେଳେ ଅଭିଯୁକ୍ତ ୨ଜଣ ଓକିଲଙ୍କୁ ଗିରଫ କଲା ପୁଲିସ । ରାସ୍ତାକୁ ଓହ୍ଲାଇଥିଲେ ଆଇନଜୀବୀ ।

ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ଓକିଲଙ୍କ ଗିରଫଦାରୀର ପ୍ରତିବାଦରେ ବହାରି ଆସିଲେ ଆଇନଜୀବୀ । ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକାଠି ହୋଇଥିଲେ ଓକିଲ । ଆଉ ପୁରା ଘଟଣା ଭିନ୍ନ ମୋଡ ନେଇଥିଲା ଯେତେବେଳେ ପୁରୀ ପୁଲିସ ବିରୋଧରେ କଚେରୀ ନିକଟରେ ଲାଗିଲା ପୋଷ୍ଟର । ପୁରୀ ପୁଲିସକୁ ଚୋରର ଆଖ୍ୟା ଦିଆଗଲା । ଆଉ ଘଟଣାରେ ପୁରୀ ଓକିଲ ସଂଘ ପକ୍ଷରୁ କ୍ଷମା ପ୍ରାର୍ଥନା ବି କରାଯାଇଥିଲା । କିନ୍ତୁ ପରବର୍ତୀ ମୁହୂର୍ତରେ ବଦଳିଗଲା ପୁଲୀ ଓକିଲ ସଂଘର ସ୍ୱର ।

ଓକିଲ ସଂଜୟ ତ୍ରିପାଠୀଙ୍କୁ ହତ୍ୟା ଉଦ୍ୟମ ଘଟଣାକୁ ୪ମାସ ବିତିଗଲାଣି । କେତେବେଳେ ଓକିଲ ମାନେ ରାସ୍ତାକୁ ଆସୁଛନ୍ତି, ତ ଆଉ କେତେବେଳେ ପୁଲିସ ବିରୋଧରେ ସହରରେ ପୋଷ୍ଟର ଲାଗୁଛି । ହେଲେ ଏସବୁ ଭିତରେ ନ୍ୟାୟ ଅପେକ୍ଷାରେ ସଂଜୟଙ୍କ ପରିବାର । ପୁଲିସ ଓକିଲ ବିବାଦ ଭିତରେ ମୂଳ ପ୍ରସଙ୍ଗକୁ ନେଇ କେତୋଟି ପ୍ରଶ୍ନ ଉଠୁଛି ।
– ନ୍ୟାୟ ଅପେକ୍ଷାରେ ଥିବା ଓକିଲଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସାଥୀ ଓକିଲମାନେ ଆଗେଇ ଆସିବେ କି ?
– ଦିନ ଦ୍ୱିପ୍ରହରରେ ଜଣେ ଓକିଲଙ୍କୁ ମାଡ଼ ମାରିଥିବା ଅପରାଧୀଙ୍କୁ ଗିରଫ କରିବା ପାଇଁ ଓକିଲ ସଂଘ ଦାବି କରିବ କି ?
– ଯଦି ଓକିଲମାନେ ଜଣେ ସାଥୀ ଓକିଲକୁ ମାଡ଼ ମାରିଥିବାର ଅଭିଯୋଗ ପ୍ରମାଣିତ ହୁଏ, ତାହେଲେ ଆଇନକୁ ତା ବାଟରେ ଯିବା ପାଇଁ ବାଟ ଛାଡ଼ିବେ କି ?