ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ତୁହାକୁ ତୁହା ଉତ୍ତରପ୍ରଦେଶ ଗସ୍ତ । ଗୋରଖପୁରରେ ପହଁଚି ଏକାଧିକ ପ୍ରକଳ୍ପର କଲେ ଉଦଘାଟନ ।

171

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ୟୁପି ଗସ୍ତ । ମଙ୍ଗଳବାର ଉତ୍ତରପ୍ରଦେଶରେ ପହଁଚି ବିଭିନ୍ନ ପକଳ୍ପର ମାରାଥନ ଉଦଘାଟନ କରିଛନ୍ତି ମୋଦୀ । ୩ ବଡ ପ୍ରକଳ୍ପକୁ ଉତ୍ତରପ୍ରଦେଶବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ଉତ୍ତରପ୍ରଦେଶର ଗୋରଖପୁରରେ ୧୦ ହଜାର କୋଟିର ମେଗା ପ୍ରୋଜେକ୍ଟକୁ କରିଛନ୍ତି ଲଞ୍ଚ । ସେହିପରି ୮ ହଜାର ୬୦୩ କୋଟିର ସାର କାରଖାନାକୁୁୁ ମୋଦୀ ଦେଇଛନ୍ତି ବାସ୍ତବ ରୂପ । ଏକ ହଜାର ଏଗାର କୋଟି ଖର୍ଚ୍ଚରେ ନିର୍ମାଣ ହୋଇଛି ନୂଆ ଏମସ୍ ମେଡିକାଲ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋରଖପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ନୂଆ ଭାରତ ଗଢିତୋଳିବା ପାଇଁ ସ୍ଥିର କରିଲେ କିଛି ମଧ୍ୟ ଅସମ୍ଭବ ନୁହେଁ ।

ଗୋରଖପୁରରେ ପହଁଚି ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ମୋଦୀ । ନାଲି ଟୋପି ନାଲି ସିଗ୍ନାଲ, ଯାହା ଉତ୍ତରପ୍ରଦେଶ ପାଇଁ ବିପଦ ବୋଲି ମୋଦୀ କହିଛନ୍ତି । ଅନ୍ୟପଟେ ମଙ୍ଗଳବାର ସମାଜବାଦ ପାର୍ଟି ନେତା ଅଖିଳେଶ ଯାଦବ ଓ ଆରଏଲଡି ମୁଖ୍ୟ ଜୟନ୍ତ ସିଂ ମେରଠରେ ଏକ ବଡ ରାଲିକୁ ସମ୍ଭୋଧନ କରିଛନ୍ତି । ଏହି ଅବସରରେ ଅଖିଳେଶ ଯାଦବ ବିଜେପିକୁ ପାଲଟା ଟାର୍ଗେଟ କରି କହିଛନ୍ତି ଏବେ ରାସ୍ତାରେ ନଡିଆ ବାଡେଇଲେ ରାସ୍ତା ଭାଙ୍ଗିଯାଉଛି ଏହା ହେଉଛି ବିଜେପିର ବିକାଶ । ସେହିପରି ଆରଏଲଡି ସହ ସପାର ମେଣ୍ଟକୁ ସେ ପରିବର୍ତ୍ତନର ମେଣ୍ଟ ବୋଲି କହିଛନ୍ତି ।

ନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ଉତ୍ତରପ୍ରଦେଶକୁ ପ୍ରଧାନମନ୍ତ୍ରୀ ତୁହାକୁ ତୁହା ଗସ୍ତ କରୁଛନ୍ତି । ସେହିପରି ସମାଜବାଦି ପାର୍ଟି ମଧ୍ୟ ନିଜର ବଳ କସିବା ସହ ବିଭିନ୍ନ ପ୍ରସଙ୍ଗକୁ ନିଜ ଅସ୍ତ୍ର ବନାଇ ଉଭୟ ଯୋଗୀ ଓ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।  ୨୦୨୪ ନିର୍ବାଚନ ପୂର୍ବରୁ ୟୁପି ଫଳାଫଳ ଏକ ବଡ ସଙ୍କେତ ହେବାକୁ ଥିବାବେଳେ କିଏ ଏହି ଗଡ ଦଖଲ କରୁଛି ଦେଖିବାକୁ ବାକି ରହିଲା ।