ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ଉଠିଲା ଆଫସ୍ପା ପ୍ରତ୍ୟାହାର ଦାବି, ଉଭୟ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାରକୁ ଜବାବ ମାଗିଲା ଏନଏଚଆରସି

151

କନକ ବ୍ୟୁରୋ: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ସାରା ଦେଶରେ ଏହାକୁ ତୀବ୍ର ନିନ୍ଦା କରାଯାଉଛି । ରାଜ୍ୟରୁ ଆଫ୍ସ୍ପା ହଟାଇବା ପାଇଁ ଦାବି ଜୋର ଧରିଛି । ସୋମବାର ସାଧାରଣ ଲୋକମାନେ ଏହି ଆଇନକୁ ହଟାଇବାକୁ ଦାବି କରିଛନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିୟୋ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ଏହି ଆଇନ୍ ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଦାବି କରିଛନ୍ତି । ଆଫ୍ସ୍ପା ହେଉଛି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ ବା ସଶସ୍ତ୍ର ସେନା ବିଶେଷାଧିକାର ଆଇନ୍ ।

– ଆଇନକୁ ବ୍ୟବହାର କରି ସେନା ପୂର୍ବତ୍ତୋର ରାଜ୍ୟ ଗୁଡିକରେ ଶାନ୍ତି ଶୃଙ୍ଖଳାକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରେ
– ୧୯୫୮ ମସିହା ସେପ୍ଟେମ୍ବର ୧୧ରେ ଆଇନ୍ ପାରିତ ହୋଇଥିଲା
– ୧୯୮୯ରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢିବା ବେଳେ ଲାଗୁ କରାଯାଇଥିଲା
– ଆଇନ୍ ଲାଗୁ ହେବା ପରେ ସେନାକୁ ସ୍ୱତନ୍ତ୍ର କ୍ଷମତା ମିଳିଥାଏ
– ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ବିନା ୱାରେଂଟରେ ସେନା ଗିରଫ କରିପାରିବ
– ବିନା ୱାରେଂଟରେ ସେନା ଘର ଭିତରେ, ଗାଡି ଭିତରେ ଖାନ ତଲାସି କରିପାରିବ
– ଆବଶ୍ୟକ ପଡିଲେ ଅଧିକ ସେନା ମୁତୟନ କରିହେବ
– ଯଦି ସନ୍ଦିଗ୍ଧ କୌଣସି ଘର ଭିତରେ ଲୁଚି ରହିଥିବେ ତେବେ ସେନା ସେହି ଘରକୁ ଉଡାଇ ଦେଇପାରିବ
– ଅନେକ ସମୟରେ ସେନା ଆଇନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା ଜଣାପଡିଛି

ସେପଟେ ଘଟଣାକୁ ନେଇ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାର ପାଖରୁ ରିପୋର୍ଟ ମାଗିଛି ଜାତୀୟ ହ୍ୟୁମାନ୍ ରାଇଟସ କମିଶନ । କେଉଁ ଆଧାରରେ ଏହି ଗୁଳାକାଣ୍ଡକୁ ‘ଭୁଲବଶତଃ’ ବୋଲି କୁହାଯାଇଛି ତାର ଜବାବ ମାଗିଛି ଏନଏଚଆରସି । ଏନଏଚଆରସି ଏହି ଘଟଣାରେ ୬ ସପ୍ତାହ ମଧ୍ୟରେ ଉତର ଦେବାକୁ ଉଭୟ ସରକାରଙ୍କୁ କହିଛନ୍ତି । ରିପୋର୍ଟ ପ୍ରଦାନ କରିବା ବେଳେ ନାଗାଲାଣ୍ଡ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏସଆଇଟି ତଦନ୍ତ ରିପୋର୍ଟ, ମୃତକଙ୍କ ପରିବାରକୁ କେତେ ଟଂକାର ଆର୍ଥିକ ସହାୟତା ଦିଆଯାଇଛି ଏବଂ ଆହତ ମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଇଛି ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ଏନଏଚଆରସି କହିଛି ।

ଶନିବାର ନାଗାଲାଣ୍ଡ, ମୋନ୍ ଜିଲ୍ଲା ନିବାର ଓଟିଙ୍ଗ ଗାଁର କିଛି ଦିନ ମଜୁରିଆ କୋଇଲା ଖଣିରୁ କାମ ସାରି ଫେରିବା ବେଳେ ସେମାନଙ୍କୁ ଉଗ୍ରବାଦୀ ସନ୍ଦେହ କରି ସେନା ଗୁଳି ଚଳାଇଥିଲା । ଘଟଣାରେ ବର୍ତମାନ ସୁଦ୍ଧା ୧୫ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ ଜଣେ ସୁରକ୍ଷାକର୍ମୀ ରହିଛନ୍ତି ।