କ୍ୱାରେଣ୍ଟିନ୍ ପାଇଁ ବ୍ୟବହାର ରଙ୍ଗ, ବାଉଁଶର ହିସାବ ଦେଲେ ମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା ।

149

କନକ ବ୍ୟୁରୋ: ମହାମାରୀ କରୋନା ଯେତେବେଳେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା, ସେତେବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା କବଳିତ ରାଜ୍ୟରୁ ଫେରୁଥବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିଲା । ଏଭଳି ସମୟରେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟିନ୍ କେନ୍ଦ୍ରର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ହେଲେ, ଏହି ସବୁ କେନ୍ଦ୍ର ପାଇଁ ହୋଇଥିବା ଖର୍ଚ୍ଚ ଜାଣିଲେ ଆପଣ ଚମକି ପଡିବେ । ଏନେଇ ମନ୍ତ୍ରୀ ଉତ୍ତର ରଖିବା ପରେ ସାମନାକୁ ଆସିଛି କେମିତି କୋଟି କୋଟି ଟଙ୍କା ରଙ୍ଗମରା ଓ ମରାମତି ବାବଦରେ ଖର୍ଚ୍ଚ ହୋଇଛି ।

ମହାମାରୀ କରୋନା ସମୟରେ ରାଜ୍ୟ ବାହାରୁ ଫେରୁଥିବା ଶ୍ରମିକଙ୍କ ରହିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ନିର୍ମାଣ କରିଥିଲେ କ୍ୱାରେଣ୍ଟିନ୍ କେନ୍ଦ୍ର । ଏଗୁଡିକ ମଧ୍ୟରୁ ପିଡବ୍ଲ୍ୟୁଡି ବିଭାଗ ରାଜ୍ୟରେ ନିର୍ମାଣ କରିଥିଲା ୬୦ଟି କ୍ୱାରେଣ୍ଟିନ୍ କେନ୍ଦ୍ର । ଆଉ ଏହି ୬୦ଟି କେନ୍ଦ୍ରର ମରାମତି, ରଙ୍ଗଦେବା ଓ ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଥିଲା ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା । ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ନିର୍ମାଣ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ । କେତୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ୱାରେଣ୍ଟିଇନ୍ ସେଂଟର କରି ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଥିଲା ଓ ଏହି ସବୁ କେନ୍ଦ୍ରର ମରାମତି , ରଙ୍ଗଦେବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ସେନେଇ ପ୍ରଶ୍ନ କରିଥିଲେ ବିଧାୟକ ।

କରୋନା ମହାମାରୀ ବ୍ୟାପୁଥିବାବେଳେ ଏହାକୁ ରୋକିବା ପାଇଁ ଯେଉଁଠି ଅଧିକ ସଂକ୍ରମଣ ଚିହ୍ନଟ ହେଉଥିଲେ, ସେହି ସବୁ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଉଥିଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ବାଉଁଶ ବାନ୍ଧି ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରାଯାଉଥିଲା । ହେଲେ, ବଲାଙ୍ଗୀରରେ ମାତ୍ର ଦୁଇ. ଚାରିଖଣ୍ଡ ବାଉଁଶ ବାନ୍ଧି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଆସିଥିଲା । ଏହା ପରେ ପ୍ରକୃତରେ କଂଟେନମେଂଟ ଜୋନ ପାଇଁ ବାଉଁଶ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଉପରେ ସମସ୍ତଙ୍କ ନଜର ଥିଲା । ଏନେଇ ଅଣତାରକା ପ୍ରଶ୍ନ ଆସିବା ପରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । କହିଛନ୍ତି…
– ରାଜ୍ୟରେ ପିଡବ୍ଲ୍ୟୁଡି ଦ୍ୱାରା ୪୦୬ଟି ସ୍ଥାନରେ କଂଟେନମେଂଟ ଜୋନ କରାଯାଇଥିଲା
– ସେଥିପାଇଁ ୬୩ ହଜାର ୫୨୬ ଖଣ୍ଡ ବାଉଁଶ ବ୍ୟବହାର କରାଯାଇଥିଲା
– ଏଥିପାଇଁ ସମୁଦାୟ ୯୧ ଲକ୍ଷ ୬୯ ହଜାର ଟଙ୍କାର ବ୍ୟୟ ଅଟକଳ ଥିଲା
– ସେଥିରୁ ଅଦ୍ୟାବଧି ୨୧ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି
– ଅଧିକାଂଶ ବାଉଁଶ ଭଡା ସୂତ୍ରରେ ଆସିଥିଲା