ବିଧାନସଭାରେ ଅର୍ଥପେଡି ଖୋଲିଲେ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା କମିଲା କୃଷି ବ୍ୟୟବରାଦ।

177

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି । ଏହାର ପ୍ରତିଫଳନ ଆଜି ଉପସ୍ଥାପିତ ରାଜ୍ୟ କୃଷି ବଜେଟରେ ଦେଖିବାକୁ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କୃଷି ପାଇଁ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି । ଯାହାକି ୨୦୨୦-୨୧ ବର୍ଷର ବ୍ୟୟ ବରାଦ ୧୯,୪୦୮ କୋଟି ଠାରୁ ପ୍ରାୟ ୧୦ ପ୍ରତିଶତ କମ । ରାଜ୍ୟ ସରକାରଙ୍କ ଏକ ଲୋକପ୍ରିୟ ଯୋଜନା କାଳିଆ ପାଇଁ ଏଥର ୧୮ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ଆର୍ଥିକ ବର୍ଷ ନିମନ୍ତେ କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା ।

ନୂଆ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ ମଧ୍ୟରୁ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ରାଜସ୍ୱ ପ୍ରାପ୍ତିରୁ ମିଳିବ । ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ୩୭,୫୦୦ କୋଟି ଟଙ୍କା ରହିବ, ଯାହାକି ୨୦୨୦-୨୧ ବର୍ଷରେ ୩୮,୩୫୦ କୋଟି ଟଙ୍କା ଥିଲା । ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟଭାଗ ମଧ୍ୟ କମିବା ଆଶଙ୍କା କରାଯାଉଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ୩୬୩୦୦ କୋଟି ଟଙ୍କା ଥିବାବେଳେ ନୂଆ ଆର୍ଥିକ ବର୍ଷରେ ତାହା ୩୦,୧୩୭ କୋଟିକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।