ବନ୍ଦ ପାର୍ସଲରେ ଆସିଲା ସାପ । ବକ୍ସ ଖୋଲିବାରୁ ଫଣା ଟେକିଲା ୬ଫୁଟର ନାଗ, କିଏ ଓ କାହିଁକି ପଠାଇଲା ସାପ ପାର୍ସଲ, କାରଣ ଅସ୍ପଷ୍ଟ ।

1,108

କନକ ବ୍ୟୁରୋ : କୋରିୟରରେ ଆସିଲା ପାର୍ସଲ । ଆଉ ପାର୍ସଲ ଖୋଲିବା ବେଳେ ସେଥିରୁ ଯାହା ବାହାରିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱାସ ମଧ୍ୟ କରିପାରିବେନି ଯେ, କ’ଣ ଥିଲା ପାର୍ସଲ ଭିତରେ । ମୟୂରଭଞ୍ଜ ରାଇରଙ୍ଗପୁରର ବ୍ୟବସାୟୀ ମୁଥୁ କୁମାରଙ୍କ ପାଖକୁ ଆସିଥିବା ପାର୍ସଲରେ ଥିଲା ଗୋଟିଏ ନାଗ ସାପ । ସୂଚନା ପାଇ ସାପକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ସାପଟିକୁ ଛାଡି ଦେଇଛି ବନବଭାଗ । ତେବେ ପେଟି ଭିତରକୁ କେମିତି ଆସିଲା ସାପ ତାକୁ ନେଇ ଲାଗି ରହିଛି ସସପେନ୍ସ ।

ପାର୍ସଲ ପେଟିରୁ ବାହାରିଲା ନାଗ ସାପ । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରର ପାଇପ ଲାଇନ୍ ବ୍ୟବସାୟ କରୁଥିବା ମୁଥୁ କୁମାରଙ୍କ ନିକଟକୁ ଆସିଥିଲା ଏକ ପାର୍ସଲ । ଆଉ ପାର୍ସଲ ପେଟି ଖୋଲିବା ସମୟରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା, ସେଥିରେ ଉପସ୍ଥିତ ଥିବା ଲୋକଙ୍କ ହୋସ୍ ଉଡିଯାଇଥିଲା ।

ବିଜୟୱାଡାରୁ ଆସିଥିବା ପାର୍ସଲ ପେଟିକୁ ଖୋଲିବା ପରେ ପାର୍ସଲ ପେଟି ଭିତରୁ ହଠାତ୍ ଫଁ କରି ଉଠଥିଲା ନାଗ । ୬ଫୁଟ ଲମ୍ବର ନାଗ ସାପଟିକୁ ଦେଖି ବ୍ୟବସାୟୀ ଜଣକ ଭୟଭୀତ ହୋଇପଡିଥିଲେ । ବିଜୟୱାଡାରୁ ଆସିଥିଲା ଏହି ପାର୍ସଲ । ନିଜେ ମୁଥୁ କୁମାର ତାଙ୍କର ବ୍ୟବସାୟ ସାମଗ୍ରୀ ବିଜୟୱାଡାରୁ କିଣିବା ପରେ ଅଗ୍ରୱାଲ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ କୋରିୟରରେ ମୟୂରଭଞ୍ଜକୁ ପଠାଇ ଘରକୁ ଆସିଥିଲେ ।

କିନ୍ତୁ ଘରେ ପହଁଚିବାବେଳକୁ ସେହି ପାର୍ସଲ ଭିତରୁ ବାହାରିଥିଲା ଏହି ସାପ । ପେଟି ଭିତରକୁ ସାପଟି କେମିତି ଆସିଲା ତାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ, ବାଟରେ ଆସିବାବେଳେ ପଶି ଯାଇଥାଇପାରେ ବୋଲି କହିଛନ୍ତି ବ୍ୟବସାୟୀଙ୍କ ସମ୍ପର୍କୀୟ । ଖବର ପାଇଁ ସାପଟିକୁ ଉଦ୍ଧାର କରିଛି ରାଇରଙ୍ଗପୁର ବନବିଭାଗ । ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦିଆଯାଇଛି ।