ରାଜଧାନୀ ରାସ୍ତାରେ ଦାଦାଗିରି ! ଆମ୍ବୁଲାନ୍ସ ମାଲିକଙ୍କୁ ୭ ଲକ୍ଷ ଟଙ୍କା ପୂଜା ଚାନ୍ଦା ମାଗିଲେ ମାଫିଆ । ଚାନ୍ଦା ନଦେବାରୁ ମାରିଲେ ନିସ୍ତୁକ ମାଡ ।

561

କନକ ବ୍ୟୁରୋ : ଆଗକୁ ଗଣେଷ ପୂଜା । ଆଉ ତାପରେ ଦଶହରା । ଆରମ୍ଭ ହୋଇଗଲାଣି ପୂଜା ସିଜିନ୍ । ହେଲେ ପାର୍ବଣ ଋତୁ ସହ ଆରମ୍ଭ ହୋଇଯାଇଛି ଚାନ୍ଦାର ଯନ୍ତ୍ରଣା । ଗଳି ଗଳିରେ ଚାଲିଛି ପୂଜା ପାଇଁ ଚାନ୍ଦା ଆଦାୟ । ଖାଲି ଚାନ୍ଦା ତ ନୁହେଁ ଚାନ୍ଦା ନାଁରେ ଗୁଣ୍ଡାରାଜ । ସ୍ଥିତି ଏଭଳି ହୋଇଛି ଯେ, ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଗଣେଷ ପୂଜା ଚାନ୍ଦା ପାଇଁ ଜଣେ ଆମ୍ବୁଲାନ୍ସ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଜଣକ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ଚାନ୍ଦା ଦିଅ, ନହେଲେ ମାଡ଼ ! ରାଜଧାନୀ ରାସ୍ତାରେ ଦାଦାଗିରି । ଏହି ଘଟଣା ନା କେବଳ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ବରଂ ମନରେ ଭୟ ସୃଷ୍ଟି ହେବ । ରାଜଧାନୀ ରାସ୍ତାରେ ଘଟିଥିବା ଏହି ଦାଦାଗିରିର ଘଟଣା, ଆଇନ ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ପୂଜା ଚାନ୍ଦା ନଦେବାରୁ ହୋଇଛି ମରଣାନ୍ତକ ଆକ୍ରମଣ । ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତ । ଅବସ୍ଥା ଏତେ ସଂକଟାପର୍ଣ୍ଣ ଯେ, ତାଙ୍କୁ ଆଇ.ସି.ୟୁକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର ।

ଆନନ୍ଦ ପାଟ୍ଟଶାଣୀ । ଘର – ଭୁବନେଶ୍ୱରର ପାତ୍ରପଡ଼ା । ପେଶା – ଆମ୍ବୁଲାନ୍ସ ଚାଳକ । ଏମ୍ସ ହସ୍ପିଟାଲକୁ ନିଜ ଆମ୍ବୁଲାନ୍ସରେ ରୋଗୀ ନେବା ଆଣିବା କରନ୍ତି ଆନନ୍ଦ । ଏହାକୁ ପେଶା କରି ସେ ପରିବାର ପ୍ରତିପୋଷଣ କରନ୍ତି । ହେଲେ ସ୍ଥାନୀୟ ଅଂଚଳର କିଛି ଗୁଣ୍ଡା ଶ୍ରେଣୀୟ ଯୁବକଙ୍କ ଟାର୍ଗେଟରେ ରହିଥିଲେ ଆନନ୍ଦ । ବିଭିନ୍ନ ସମୟରେ ବଟି ପାଇଁ ତାଙ୍କ ଉପରେ ହୋଇ ଆସୁଥିଲା ଜୁଲମ । ହେଲେ ଗଣେଶ ପୂଜାକୁ ଆଳ କରି ଏହି ସ୍ଥାନୀୟ ଅସାମାଜିକ ଯୁବକମାନେ ଗାଡି ପିଛା ଲକ୍ଷେ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ । ଆନନ୍ଦଙ୍କର ୭ଟି ଗାଡି ଥିବାରୁ ତାଙ୍କୁ ୭ ଲକ୍ଷ ଟଙ୍କା ଚାନ୍ଦା ଦାବି କରାଯାଇଥିଲା । ଚାନ୍ଦା ଦେବା ପାଇଁ ମନା କରିବାରୁ ହୋଇଥିଲା ମରଣାନ୍ତକ ଆକ୍ରମଣ ।

ଏ ହେଉଛି ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତ ସମୀର ରାଉତରାୟ । ଦୀର୍ଘଦିନ ଧରି ଚାନ୍ଦା ନାଁରେ ଚଲାଇଛି ଆତଙ୍କରାଜ । ଦୋକାନ ବଜାର ଠାରୁ ଆରମ୍ଭ କରି ଗାଡି ଚାଳକଙ୍କ ପର୍ଯ୍ୟନ୍ତ କାହାକୁ ବି ଛାଡ଼ୁନାହାନ୍ତି ସମୀରର ଗୁଣ୍ଡା ବାହିନୀ । ଏପରିକି ଆମ୍ବୁଲାନ୍ସ ଗାଡିଠୁ ବି ଚାନ୍ଦା ମାଗିବାକୁ ପଛାଉନି ଏହି କୁଖ୍ୟାତ ଅପରାଧୀ ।

ନା’ ଅଛି ଆଇନକୁ ଭୟ, ନା ଅଛି କମିସନରେଟ୍ ପୋଲିସର କଟକଣାକୁ ପରୱା । ଦିନ ଦ୍ୱିପହରରେ ଗୁଣ୍ଡା ଚଳାଉଛନ୍ତି ଗୁଣ୍ଡାରାଜ । ଅନ୍ୟପଟେ ଚାନ୍ଦା ଆଦାୟ ସଂପୂର୍ଣ୍ଣ ବେଆଇନ, ଚାନ୍ଦା ମାଗିଲେ ହାତକଡ଼ି ପଡ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ।

ଅନ୍ୟପଟେ ଅଭିଯୁକ୍ତ ସମୀରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସମୀରକୁ ବାଦ ଦେଲେ, ଅନ୍ୟ ୧୫ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ପୂଜା କମିଟି ନାଁରେ ହେଉ ବା ପୂଜା, ପାର୍ବଣ ବାହାନାରେ କେହି ଚାନ୍ଦା ମାଗିଲେ, ତାକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି କମିସନରେଟ୍ ପୋଲିସ ।