କରୋନା ଏକ ଯୁଦ୍ଧ, ଆମେ ଜଣେ ଜଣେ ଯୋଦ୍ଧା । ସଙ୍କଟର ମୁକାବିଲା ପାଇଁ ସୁବ୍ରତ କହିଲେ ‘ସିପାହୀ’ ଉପାଖ୍ୟାନ । ସମ୍ବେଦନଶୀଳ ସମୟରେ ଆମେ ସମସ୍ତେ ‘ସିପାହୀ’…

768

କନକ ବ୍ୟୁରୋ: ସାରା ମାନବ ଜାତି ପାଇଁ କରୋନା ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ଜୀବନ ପାଇଁ ବିଶ୍ୱର ମାନବ ଜାତି ଏହାର ମୁକାବିଲା କରୁଛି । ତେବେ ଏଭଳି ସଙ୍କଟ ସମୟରେ ଆମେ ସମସ୍ତେ ଜଣେ ଜଣେ ସିପାହୀ, କରୋନା ଯୁଦ୍ଧରେ ଆମେ ଜଣେ ଜଣେ ଯୋଦ୍ଧା । ତେଣୁ ଏ ଯୁଦ୍ଧ ଜିତିବାକୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ, ସମସ୍ତେ ଜିତିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେବାକୁ ହେବ । ଲକଡାଉନ ସମୟରେ ସମସ୍ତେ ଘରେ ରହିଲେ ହିଁ ଏହାର ମୁକାବିଲା କରିହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ତେବେ ବାଗଚୀ କହିଛନ୍ତି କି, କୋଭିଡ-୧୯ ଏକ ଯୁଦ୍ଧ । ଯେମିତି ସୀମାରେ ଜଣେ ଯବାନ ଛିଡା ହୋଇଥାନ୍ତି ଆଉ ତାଙ୍କୁ ନିର୍ଦ୍ଦେଶ ନଯିବା ଯାଏଁ ସେ ସୀମା ଛାଡି କୁଆଡେ ଯାଆନ୍ତିନି, ପ୍ରହରୀ ହୋଇ ଜଗି ରହନ୍ତି । ଠିକ ସେମିତି କରୋନା ଯୁଦ୍ଧରେ ଆମେ ସମସ୍ତେ ଜଣ ଜଣେ ଯୋଦ୍ଧା । ଆଜି ଆମେ ଜଣେ ଜଣେ ସୀମାନ୍ତ ପ୍ରହରୀ । ତେଣୁ ଯେପର୍ଯ୍ୟନ୍ତ ୧୦୪ରୁ ନିର୍ଦ୍ଦେଶ ନ ଆସିଛି ସେତେବେଳ ଯାଏଁ ଆମେ ସମସ୍ତେ ଘରୁ ବାହାରିବାନି, ଘରର ସୀମା ଡେଇଁବାନି ।

ବାହାରକୁ ବାହାରିଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ୨୧ ଦିନ ଯାଏଁ ସାରା ଦେଶକୁ ଲକଡାଉନ କରାଯାଇଛି । ତେବେ ସଂକ୍ରମଣ ଦୃତ ସଂକ୍ରମଣ ଯେମିତି ନହୁଏ ସେନେଇ ବାଗଚୀ କହିଛନ୍ତି ପେସେଣ୍ଟ-୩୧ କାହାଣୀ । ଲକଡାଉନ ସମୟରେ ସମସ୍ତେ ଘରେ ରହି କରୋନା ସହ ଯୁଦ୍ଧ କରିବାକୁ ବାଗଚୀ ଆହ୍ୱାନ ଦେଲା ବେଳେ ପେସେଣ୍ଟ-୩୧ ଅର୍ଥାତ କୋରିଆର ସୁପର ସ୍ପ୍ରେଡର କଥା କହିଛନ୍ତି ବାଗଚୀ ।

ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ୨.୨୪ରୁ ୩.୫୮ ଜଣଙ୍କ ଅର୍ଥାତ ୨ରୁ ୩ ଜଣଙ୍କୁ ସଂକ୍ରମିତ କରାଇବାର ଆଶଙ୍କା ଥାଏ । ଯିଏ ସଂକ୍ରମିତ ହୋଇଛି ସିଏ ସଂକ୍ରମଣ କରିବାର ଆଶଙ୍କା ଅଧିକ ରହିଥାଏ । ତେବେ ସଂକ୍ରାମକ ବେଳେ ଦୃତ ସଂକ୍ରାମକ ପାଲଟି ଯାଆନ୍ତି । ଦକ୍ଷିଣ କୋରିଆର ଜଣେ ମହିଳା ୧୧୬୦ ଜଣଙ୍କ ସାଙ୍ଗରେ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ । ଆଉ ଏହି ୧୧୬୦ ଜଣ ପରବର୍ତ୍ତୀ ସମୟରେ ୨ରୁ ୪ ଜଣଙ୍କୁ ସଂକ୍ରମିତ କରିବେ । ତେବେ ୩୧ ନମ୍ବର ପେସେଣ୍ଟଥିବା ଏହି ମହିଳା ଦକ୍ଷିଣ କୋରିଆ ପାଇଁ ସୁପର ସ୍ପ୍ରେଡର ବା ଦୃତ ସଂକ୍ରାମକ ପାଲଟିଗଲେ । ଯାହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢିଗଲା ଆଉ ସେ ମହିଳା କୋରିଆ ପାଇଁ ସଙ୍କଟ ଆଣିଦେଲେ ।

ସେପଟେ କରୋନାର ମୁକାବିଲା ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ପୋଲିସ, ସାମ୍ବାଦିକ ଓ ସଫେଇ କର୍ମଚାରୀ ନିଜକୁ ସିପାହୀ ସଜାଇଛନ୍ତି । ତେବେ ଏଭଳି ଘଟିସନ୍ଧି ମୁହୂର୍ତ୍ତରେ ଆମେ ସୁପର ସ୍ପ୍ରେଡର ନହୋଇ ଯୁଦ୍ଧ ଜିତିବାକୁ ହେଲେ ଆମକୁ ସଚେତନ ହେବା ସହ ଘରେ ରହିବାକୁ ହେବ ବୋଲି ବାଗଚୀ ଆହ୍ୱାନ ଦେଇଛନ୍ତି ।