ବାପାଙ୍କ ଶୁଦ୍ଧିକ୍ରିୟା ସାରି ଯାଇଥିଲେ, ଶବ ହୋଇ ଫେରିଲେ । ସୁକମା ଶହୀଦଙ୍କ ଭିତରେ ଜଣେ ଓଡିଆ ।

64

ସୁକମାରେ ହୋଇଥିବା ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ୯ ଯବାନଙ୍କ ଭିତରେ ଜଣେ ଓଡିଆ ଅଛନ୍ତି । ବ୍ରହ୍ମଗିରିର ମନୋରଂଜନ ଲେଙ୍କା ନକ୍ସଲ ଆକ୍ରମଣରେ ଶହୀଦ ହୋଇଛନ୍ତି । ବ୍ରହ୍ମଗିରି ବ୍ଲକ ରେବଣା ନୁଆଗାଁ ତାଙ୍କ ଘର । କିଛି ଦିନ ପୂର୍ବରୁ ମନୋରଂଜନଙ୍କ ବାପା ଦୁର୍ଯୋଧନ ଲେଙ୍କାଙ୍କର ଦେହାନ୍ତ ହୋଇଥିଲା । ବାପାଙ୍କର ଶୁଦ୍ଧିକ୍ରିୟା ସାରି ସେ ଗତ ୧୫ ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ । ଆଉ ଆଜି ନକ୍ସଲ ଆକ୍ରମଣରେ ସେ ଶହୀଦ ହୋଇଛନ୍ତି ।

ଛତିଶଗଡ ସୁକମା ଜିଲ୍ଲାରେ ଯବାନଙ୍କ ଉପରକୁ ମାଓବାଦୀଙ୍କ ବଡ ଆକ୍ରମଣ । ସୁକମାର କିସ୍ତିରାମ ଅଞ୍ଚଳରେ ନକ୍ସଲ ଏକ ଆଇଇଡି ବିସ୍ପୋରଣ କରିବାରୁ ସିଆରପିଏଫର ୯ ଜଣ ଯବାନ ସହିଦ ହୋଇଛନ୍ତି । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଭୟଙ୍କର ଆକ୍ରମଣ କରିଥିଲେ ଲାଲବାହିନୀ । ମୃତ ଯବାନ ସିଆରପିଏଫ୍ ୨୧୨ ବାଟାଲିୟନର। ନକ୍ସଲଙ୍କ ଏହି ଆକ୍ରମଣରେ ୨୫ ଜଣ ଯବାନ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି ।


ମିଳିଥିବା ସୂଚନା ଅନୁସାରେ, ସିଆରପିଏଫର ୨୧୨ ବାଟାଲିଅନ୍ ସୁକମା ଜିଲ୍ଳାର କିଷ୍ଟାରାମ୍ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିବା ଏକ ପାଟ୍ରୋଲିଂ ଦଳକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ଏକ ଆଣ୍ଟି -ଲ୍ୟାଣ୍ଡମାଇନ୍ ଯାନରେ ଯବାନମାନେ କିଷ୍ଟାରାମରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଫଳରେ ଯବାନଙ୍କ ମାଇନ୍ ପ୍ରୋଟେଡ୍ ଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ନକ୍ସଲମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଆମ୍ବୁସରେ ଶହେରୁ ଅଧିକ ମାଓବାଦୀ ସାମିଲ ଥିଲେ।
ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି ଓ ମୃତାହତମାନଙ୍କୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଛତିଶଗଡର ସ୍ୱତନ୍ତ୍ର ଡିଜି ( ମାଓ-ବିରୋଧୀ ଅଭିଯାନ) ଡି.ଏମ୍.ଅବସ୍ତୀ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ଗତକିଛି ଦିନ ପୂର୍ବେ କୋବ୍ରା କମାଣ୍ଡୋଙ୍କ ଘାତକ ଆକ୍ରମଣରେ ତେଲେଙ୍ଗାନା ବର୍ଡର ଡିଭିଜନର ଟପ ମାଓନେତା ନିହତ ହୋଇଥିଲେ । ଏହାପରେ ନକ୍ସଲ ମାନେ ରକ୍ତମୁଖା ହୋଇଥିବା କୁହାଯାଉଛି ।