ବଲବ୍ୟାଡ଼ମିଂଟନରେ ଭାରତୀୟ ଟିମରେ ସାମିଲ ହେଲେ ଓଡିଆ ପୁଅ ! ଏବେ ଦଳର ଅଧିନାୟକ ହେବା ଲକ୍ଷ୍ୟ ରଖିଛନ୍ତି ବ୍ରହ୍ମପୁରର ଆଶୁତୋଷ

33

କନକ ବ୍ୟୁରୋ: ବଲ ବ୍ୟାଡ଼ମିଂଟନର ଭାରତୀୟ ଦଳରେ ବ୍ରହ୍ମପୁରର ଆଶୁତୋଷ । ଓଡ଼ିଶାରେ ଏହି ଖେଳର ଚାହିଦା ଏତେଟା ନଥିଲେବି ବ୍ରହ୍ମପୁରର ଏହି ଖେଳାଳି ଚୟନ ହୋଇଛନ୍ତି ଭାରତୀୟ ଦଳ ପାଇଁ । ଆଗାମୀ ୧୬ରୁ ୨୩ ପର୍ଯ୍ୟନ୍ତ ଆଶୁତୋଷ ଆର୍ନ୍ତଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନିଜର କମାଲ ଦେଖାଇବେ । ଏଥିପାଇଁ ସେ ଜୋରଦାର ଅଭ୍ୟାସ ଜାରି ରଖିଥିବା ବେଳେ ଭାରତ ପାଇଁ ସଫଳତା ଆଣିବେ ବୋଲି ଆଶା ରଖିଛନ୍ତି ।

ବଲବ୍ୟାଡ଼ମିଂଟନରେ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ବ୍ରହ୍ମପୁରର ଆଶୁତୋଷ ରଥ । ଗତ ଫେବୃଆରୀ ମାସରେ ଦିଲ୍ଲୀରେ ଭାରତର ୧୬୦ ଜଣଙ୍କ ଖେଳାଳୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟ ପ୍ରଥମରେ ରହିଛନ୍ତି ଆଶୁତୋଷ । ଆସନ୍ତା ୧୬ରୁ ୨୦ ଯାଏଁ ମାଲେସିଆ ଓ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଥିବା ଟୁର୍ଣ୍ଣାମେଂଟରେ ଭାଗ ନେବେ । ଏଥିପାଇଁ ସେ ଏବେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ।

ଏବେ ଯୁକ୍ତ ତିନିରେ ପଡୁଥିବା ଆଶୁତୋଷ ଦଶମ ଶ୍ରେଣୀ ପରେ ବଲ୍ ବ୍ୟାଡ଼ମିଂଟନ ଖେଳ ଆରମ୍ଭ କରିଥିଲେ । ଓଡ଼ିଶାରେ ଏହି ଖେଳ ପାଇଁ ଅଧିକ ପ୍ରୋତ୍ସହନ ମିଳୁନାହିଁ । କିନ୍ତୁ ବ୍ରହ୍ମପୁରରେ ଗୋଟିଏ ମାତ୍ର କୋର୍ଟ ରହିଛି । ଯାହା ଫଳରେ ବହୁ କଷ୍ଟ କରିବାକୁ ପଡ଼ୁଛି । ଏହି ଖେଳରେ ଆଗକୁ ବଢିବା ପାଇଁ ପରିବାରବର୍ଗ ସମସ୍ତ ସହଯୋଗ କରିଛନ୍ତି । ଏବେ ଭାରତୀୟ ଦଳର ଅଧିନାୟକ ହେବା ଲକ୍ଷ୍ୟ ରଖିଛନ୍ତି ଆଶୁତୋଷ ।