ଭାରତର ପ୍ରଥମ ‘No Caste, No Religion’ ସାର୍ଟିଫିକେଟ୍ ପ୍ରାପ୍ତ କରିଥିବା ମହିଳା ହେଲେ ସ୍ନେହା ! କୌଣସି ଜାତି କିମ୍ବା ଧର୍ମକୁ ନେଇ ନୁହଁ ବରଂ ଭାରତୀୟ ରୁପେ ପରିଚିତ ହେବେ ଏହି ମହିଳା ।

370

ବିଶ୍ୱରେ ପ୍ରତ୍ୟେକଟି ବ୍ୟକ୍ତି ନିଜ ଜାତି ଏବଂ ଧର୍ମକୁ ନେଇ ପରିଚିତ ହୋଇଥାନ୍ତି । କିନ୍ତୁ ଭାରତରେ ରହୁଥିବା ଜଣେ ମହିଳା ପ୍ରଥମଥର ପାଇଁ ‘ ବିନା ଜାତି , ବିନା ଧର୍ମ ’ର ଏକ ସାର୍ଟିଫିକେଟ୍ ପ୍ରସ୍ତୁତ କରିଛନ୍ତି । ପେସାରୁ ଓକିଲ ଥିବା ସ୍ନେହା ନାମକ ଏହି ଭାରତୀୟ ମହିଳା ନିଜ ପାଇଁ ‘No Caste, No Religion’ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଯେଉଁଥିପାଇଁ ତାଙ୍କୁ ୯ ବର୍ଷ ଅପେକ୍ଷା କରିବାକୁ ପଡିଛି । ନିକଟରେ ସ୍ନେହାଙ୍କୁ ତାଙ୍କ ‘No Caste, No Religion’ ର ସାର୍ଟିଫିକେଟ୍ ପ୍ରାପ୍ତ ହୋଇଛି । ସେ ତାମିଲନାଡୁ ,ବିଲ୍ଲୋରର ତିଋପତୁରରେ ବହୁବର୍ଷ ହେଲା ରହିଆସୁଛନ୍ତି ।

କେବଳ ସ୍ନେହା ନୁହଁ ତାଙ୍କ ପିତାମାତା ମଧ୍ୟ ପିଲାବେଳୁ ହିଁ ସାର୍ଟିଫିକେଟରେ ଜାତି ଏବଂ ଧର୍ମର କଲମ୍ କୁ ଖାଲି ରଖିଥାନ୍ତି । ତାଙ୍କ ମତରେ ସାମାଜିକ ପରିବର୍ତ୍ତନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ତାଙ୍କୁ ମଧ୍ୟ ବିନା ଜାତିି ଏବଂ ବିନା ଧର୍ମର ଏକ ସାର୍ଟିଫିକେଟ୍ ର ଆବଶ୍ୟକତା ଥିଲା । ସେ ନିଜ ଜନ୍ମ ପ୍ରମାଣପତ୍ର ଏବଂ ଶିକ୍ଷା ପ୍ରମାଣପତ୍ରରେ ମଧ୍ୟ ଏହି କଲମ୍ କୁ ଖାଲି ରଖିଥିବା ଉଲ୍ଲେଖ କରିଛନ୍ତି । ଏଠାରେ ତାଙ୍କୁ କେବଳ ଭାରତୀୟର ହିଁ ମାନ୍ୟତା ମିଳିଛି । ତାଙ୍କ କହିବା ଅନୁସାରେ ଯଦି ଜାତି ଧର୍ମକୁ ମାନୁଥିବା ଲୋକଙ୍କ ସାର୍ଟିଫିକେଟ୍ ରହିପାରୁଛି ତେବେ ଆମର କାହିଁକି ରହିବ ନାହିଁ ।