ନବୀନଙ୍କୁ ‘ଆଉଟଲୁକ୍’ ସମ୍ମାନ ! ଜୋରଦାର୍ ସମ୍ବର୍ଦ୍ଧନା ପାଇଁ ବିଜେଡିର ପ୍ରସ୍ତୁତି

37

କନକ ବ୍ୟୁରୋ: ଇଂରାଜୀ ପତ୍ରିକା ‘ଆଉଟଲୁକ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପ୍ରଦାନ କରାଯିବ। ଆଜି ନୂଆଦିଲ୍ଲୀରେ ହେବାକୁ ଥିବା ଆଉଟଲୁକ୍ ସ୍ପିକ୍ ଆଉଟ୍ ଆଓ୍ଵାର୍ଡ କାର୍ଯ୍ୟକ୍ରମରେ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଜାତୀୟ ସ୍ତରର ଏହି ସମ୍ମାନକୁ ଅଧିକ ପ୍ରଚାର, ପ୍ରସାର କରିବା ପାଇଁ ବିଜେଡି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି । ନୂଆଦିଲ୍ଲୀରୁ ଭୁବନେଶ୍ୱର ପର୍ୟ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନବୀନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଦଳର ପ୍ରମୁଖ ଯୁବ ନେତାମାନେ ନୂଆଦିଲ୍ଲୀ ଓ ଭୁବନେଶ୍ୱରରେ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

‘ଆଉଟଲୁକ୍ ସ୍ପିକ୍ ଆଉଟ୍ ଆଓ୍ଵାର୍ଡ’ରେ ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଆଯାଇଥିଲା । ନବୀନଙ୍କ ବାଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ତାଲିକାରେ ସ୍ଥାନ ପାଇଥିଲେ । ଅନଲାଇନ୍ ଭୋଟିଂ ମାଧ୍ୟମରେ ଶ୍ରେଷ୍ଠ ପ୍ରଶାସକ ଚୟନ କରାଯାଇଥିଲା । ଅନ୍ୟ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ରଖାଯାଇଥିଲା ।

ଓଡ଼ିଶାରେ ଶାସନ ଡୋରି ଧରିଲା ପରଠାରୁ ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସବୁବେଳେ ଉଜ୍ଜ୍ୱଳ ରଖିବାକୁ ନବୀନ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଚତୁର୍ଥ ପାଳି ଶାସନକୁ ଆସିଲା ପରେ ଏହା ଉପରେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଝଟ୍କା ପାଇଲା ପରେ ଜାତୀୟ ସ୍ତରରେ ନବୀନଙ୍କ ଛବି କିଛିଟା ମଳିନ ହୋଇପଡ଼ିଲା । ଏହା ପରେ ନବୀନ ତାଙ୍କ ପୁରୁଣା ଷ୍ଟାଇଲରେ ପୁଣି ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏକ ଇଂରାଜୀ ପତ୍ରିକାର କଭର୍ ପୃଷ୍ଠାରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଲେ । ଏବେ ଆଉଟଲୁକ୍ ପତ୍ରିକା ପକ୍ଷରୁ ସମ୍ମାନ ପାଇଲା ପରେ ଜାତୀୟ ସ୍ତରରେ ନିଜର ଦକ୍ଷତା ଓ ସ୍ୱଚ୍ଛତାକୁ ପ୍ରମାଣିତ କରିବାର ସୁଯୋଗ ମିଳିବ ବୋଲି ବିଜେଡି ପକ୍ଷରୁ ଆକଳନ କରାଯାଉଛି ।

ଏହି ସମ୍ମାନକୁ ଅଧିକ ପ୍ରଚାର ଓ ପ୍ରସାର କରି ରାଜନୈତିକ ଫାଇଦା ଉଠାଇବା ଓ ନବୀନଙ୍କ ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାର ସୁଯୋଗକୁ ବିଜେଡି ହାତଛଡ଼ା କରିବାକୁ ଚାହୁଁ ନାହିଁ । ଆଜି ସନ୍ଧ୍ୟାରେ ସମ୍ମାନ ପାଇଲା ପରେ ଶନିବାର ନୂଆଦିଲ୍ଲୀରେ ହିଁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଜେଡିର ଦୁଇ ଜଣ ତୁଙ୍ଗ ନେତା ଦିଲ୍ଲୀରେ ରହି ଏହାକୁ ତଦାରଖ କରୁଛନ୍ତି । ରବିବାର ଦିନ ନବୀନ ଭୁବନେଶ୍ୱର ଫେରିଲା ପରେ ବିମାନବନ୍ଦରରୁ ତାଙ୍କୁ ଜୋରଦାର୍ ସ୍ୱାଗତ କରାଯିବ। ଏଥିରେ ଅଧିକ ଲୋକଙ୍କୁ ସାମିଲ୍ କରି ଏକ ସୁଦୃଶ୍ୟ ଶୋଭାଯାତ୍ରା ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

କିଛି ଦିନ ହେଲା ବିଜେଡି ପକ୍ଷରୁ କୌଣସି ବଡ଼ ଧରଣର ସଭା, ଶୋଭାଯାତ୍ରା ଭୁବନେଶ୍ୱରରେ କରାଯାଇ ନାହିଁ । ବିଭିନ୍ନ ପ୍ରସଙ୍ଗରେ ଛୋଟ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେଣୁ ନବୀନଙ୍କୁ ସମ୍ମାନ ପ୍ରଦାନ ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଆୟୋଜନ କରି କର୍ମକର୍ତ୍ତା ଓ କର୍ମୀମାନଙ୍କୁ ସକ୍ରିୟ କରିବାକୁ ଦଳ ଯୋଜନା କରିଛି ।