ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ମନ୍ତ୍ରୀ ରୀତା ସାହୁ । ବିଧାନସଭାରେ ନରସିଂହ ଉଠାଇଲେ ପ୍ରଶ୍ନ, କହିଲେ ସରକାରଙ୍କ ପାଖକୁ କର୍ମଚାରୀ ଯିବେ ନାଁ କର୍ମଚାରୀ ପାଖକୁ ସରକାର ଯିବେ ।

140

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ ବିଧାନସଭାରେ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାରେ ନରସିଂହ କହିଛନ୍ତି, ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ । ରାଜ୍ୟରେ ଅମଲାତନ୍ତ୍ର ସରକାର ଚାଲିଛି । ଦିନ ଦିପହରରେ ଗଣତନ୍ତ୍ରର ହତ୍ୟା କରାଯାଉଛି । ମନ୍ତ୍ରୀ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାରୁ ଆଗକୁ ଏମିିତି ହେବ ନାହିଁ କହି ବୟନ ଶିଳ୍ପ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ନରସିଂହ ମିଶ୍ର କହୁଥିବା ବେଳେ ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଗୃହରେ ନିରଞ୍ଜନ ପୂଜାରୀ କହିଛନ୍ତି ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ । ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୂର୍ଣ୍ଣ କରାଯାଉଛି । ନରସିଂହଙ୍କ ମନ୍ତବ୍ୟକୁ ନେଇ ଗୃହରେ କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ନାରାବାଜି କରିଛନ୍ତି । ସେପଟେ ନିଜ ନିଜ ସ୍ଥାନରେ ଛିଡା ହୋଇ ନାରାବାଜି କରିଛନ୍ତି ଶାସକ ଦଳ । ବିଧାନସଭାରେ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁତଲବି ଘୋଷଣା କରିଥିଲେ ବାଚସ୍ପତି ।