ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ଗୁଣୁପୁର ଆଦର୍ଶ ଥାନାର ଏସଆଇଙ୍କ ଉଦ୍ୟମରେ ଖୋଲିଛି ମୁକ୍ତକାଶ ବିଦ୍ୟାପୀଠ । ମାଗଣାରେ ପାଠ ପଢ଼ାଉଛନ୍ତି ସ୍ଥାନୀୟ ଶିକ୍ଷିତ ଯୁବକ ।

114

କନକ ବ୍ୟୁରୋ: ପୁଣି ଫେରିଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟର ରୂପ ରେଖା । ମୁକ୍ତାକାଶରେ ପିଲାଏ ପଢୁଛନ୍ତି ପାଠ । ଗାଁ ଦାଣ୍ଡରେ ପଡିଛି ପାଲ । ସାମାନରେ ରହିଛି କଳାପଟା । ପିଲାଙ୍କ ଇଂରାଜୀ ଓ ଓଡିଆ ବର୍ଣ୍ଣମାଳା ଉଚାରଣରେ କମ୍ପୁଛି ଗାଁ ଦାଣ୍ଡ । ଆସନ୍ତୁ ଦେଖିବା କେଉଁଠି ଅଛି ଏମିତି ପାଠଶାଳା ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଲବାଗୁଡା ଗାଁର ମୁକ୍ତାକାଶ ବିଦ୍ୟାଳୟ । ଗୁଣୁପୁର ଆଦର୍ଶ ଥାନାର ସବ୍ ଇନସପେକଟର ସୁଶାନ୍ତ ବେହେରାଙ୍କ ନିଆରା ପ୍ରୟାସ ଯୋଗୁଁ ଗାଁ ଦାଣ୍ଡରେ ଚାଲିଛି ପାଠପଢା । କରୋନା ଯୋଗୁଁ ପ୍ରଥମରୁ ଅଷ୍ଟମ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଛି । ଅନଲାଇନ୍ ପାଠପଢା ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଂଚଳରେ ନେଟୱାର୍କ ନାହିଁ । ତେଣୁ ପିଲାମାନେ ଏଣେତେଣେ ବୁଲୁଛନ୍ତି, ଯାହା ସୁଶାନ୍ତ ବେହେରାଙ୍କୁ ବ୍ୟଥିତ କରିଥିଲା । ଛାତ୍ରଛାତ୍ରୀଙ୍କ ସେହି ସମସ୍ୟା ସମାଧାନ କରିବା ପାଇଁ ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରି କିଛି ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଏକାଠି କରି ଲବାଗୁଡା ଗାଁରେ ମୁକ୍ତାକାଶ ବିଦ୍ୟାଳୟ ଖୋଲିଛନ୍ତ ।

ଶିକ୍ଷିତ ଯୁବଗୋଷ୍ଠୀ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା ବେଳେ ପୋଲିସ ଅଧିକାରୀଙ୍କ ଉଦ୍ୟମରେ ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି । ମାସ୍କ ଓ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଉଛି । ବର୍ତମାନ ଗାଁର ୪୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଦିନ ସକାଳେ ୨ ଘଂଟା ଲେଖାଏଁ ପାଠ ପଢୁଛନ୍ତି । ମୁକ୍ତାକାଶ ବିଦ୍ୟାଳୟ ସମ୍ପର୍କରେ ଗୁଣୁପୁର ଥାନର ସବ୍ ଇନସ୍ପେକ୍ଟର ସୁଶାନ୍ତ କୁମାର କୁହନ୍ତି ଆଗାମୀ ଦିନରେ ମଧ୍ୟ ଆଦିବାସୀ ପିଲାମାନଙ୍କ ହିତକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ବାସ୍ତବିକ ଜଣେ ପୋଲିସ ଅଧିକାରୀ ଏଭଳି ମହତ ଚିନ୍ତାଧାରାକୁ ସ୍ଥାନୀୟ ଜନସାଧାରଣ ବେସ ପ୍ରସଂଶା କରିଛନ୍ତି ।