ମଇ ୧ରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଦିଆଯିବ ଟିକା, ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିଡ ଟିକା । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

212

କନକ ବ୍ୟୁରୋ : ଦେଶର ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି । କରୋନା ଟିକାକରଣ ନେଇ ମୋଦି ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ମହାମାରୀ ମୁକିବଲାକୁ ଆହୁରି ତ୍ୱରାନିତ୍ୱ କରିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ମଇ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ନିଷ୍ପତି କୋଭିଡ୍-୧୯ ବିରୋଧରେ ସରକାରଙ୍କ ପ୍ରସ୍ତୁତିକୁ ମଜବୁତ୍ କରିବ ଏବଂ ଏହି କଠିନ ସମୟରେ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଧର୍ମେନ୍ଦ୍ର କହିଛନ୍ତି, ଟିକା ଉତ୍ପାଦନକାରୀ କମ୍ପାନିମାନେ ୫୦ ପ୍ରତିଶତ କୋଭିଡ଼-୧୯ ଟିକା ଡୋଜ୍ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ଖୋଲା ବଜାରକୁ ଦେବାର କେନ୍ଦ୍ର ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ନିଷ୍ପତି ଅଧିକ ନାଗରିକମାନଙ୍କୁ ଟିକା ନେବାରେ ସହାୟକ ହେବା ସହ ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାବାଦ୍ ଦେଶର ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବାର ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।