ରାୟଗଡ଼ାରୁ ଆସିଲା କରୋନାର କରୁଣ କାହାଣୀ । ପଜିଟିଭ ଆସିବା ପରେ ଟାହିଟାପରା ସହି ନପାରି ଆକ୍ରାନ୍ତଙ୍କ ଆତ୍ମହତ୍ୟା ଅଭିଯୋଗ ।

ରେଳ ବିଭାଗର ବରିଷ୍ଠ କିରାଣୀଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା

372

କନକ ବ୍ୟୁରୋ: ଭୂତାଣୁର ଭୟ କେତେ ସାଂଘାତିକ ହୋଇପାରେ, ସଭ୍ୟ ବୋଳାଉଥିବା ସମାଜ କେତେ ଅସଭ୍ୟ ହୋଇପାରେ, ତାର ଏକ ହୃଦୟ ବିଦାରକ କାହାଣୀ ଆସିଛି ରାୟଗଡ଼ାରୁ । ରେଲୱରେ କିରାଣୀ ଭାବେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ, ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । କାରଣ, କରୋନା ପଜିଟିଭ୍ ଆସିବା ପରେ ସାଥୀ କର୍ମଚାରୀ ଓ ପରିଚିତ ଯେଉଁଭଳି ଆଚରଣ କରିଥିଲେ, ତାକୁ ସହ୍ୟ କରିପାରିଲେନି ଏହି ବ୍ୟକ୍ତି । ଆଉ ଯେତେବେଳେ ପରିଚିତଙ୍କ ଗହଣରେ ସେ ଅଲୋଡ଼ା ହୋଇଗଲେ ଆତ୍ମହତ୍ୟାର ବାଟ ବାଛିନେଲେ ।

ରବିବାର ସନ୍ଧ୍ୟା  ପ୍ରାୟ ୪ଟାରେ ରାୟଗଡା ରେଲୱ କଲୋନୀ ଏକ ଘରେ ଝୁଲୁଥିଲା ମୃତଦେହ । ବେକରେ କାମୁଛା ଗୋଡେଇ, ଆତ୍ମହତ୍ୟା କରିସାରିଥିଲେ ୩୯ ବର୍ଷିୟ ମୁକୁଲ ବର୍ଣ୍ଣାଡ଼ କୁଜୁର । ଗୋଟିଏ ପଟେ ମୃତଦେହ ଝୁଲୁଥିଲା, ଆଉ ଗୋଟିଏ ପଟେ ତାଙ୍କ ଫୋନ୍କୁ ଘନ ଘନ ଫୋନ୍ ଆସୁ୍ଥିଲା । ଆଉ ବାରମ୍ବାର ଫୋନ୍ ନଉଠାଇବାରୁ ବଢ଼ିଥିଲା ସନ୍ଦେହ । ଆଉ ଯେତେବେଳେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଘରେ ପହଂଚିଥିଲେ ସେତେବେଳେ କରୋନାର ଏକ କରୁଣ କାହାଣୀ ସାମ୍ନାକୁ ଆସିଥିଲା ।

ଆତ୍ମହତ୍ୟାର ଠିକ୍ ଗୋଟିଏ ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ମୃତ ମୁକୁଲ କୁଜୁର । ଆଉ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତତ୍ୱାବଧାନରେ ଥିଲେ । ହେଲେ ମୁକୁଲ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଲୋନୀର ପଡ଼ୋଶୀ ଏବଂ ସାଥୀରେ କର୍ମଚାରୀମାନେ ତାଙ୍କୁ ଛି-ଛାକର କରିଥିବା ଅଭିଯୋଗ ହୋଇଥିଲା । କୁହାଯାଉଛି-ଏହାକୁ ସହିପାରିନଥିଲେ ମୁକୁଲ । ଆଉ ଚରମ ନିଷ୍ପତି ନେଇଯାଇଥିଲେ । ମୁକୁଲ କରୋନା ପଜିଟିଭ ଆସିବା ପରେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କାଉନସିଲିଂ କରିବା ସହ ଔଷଧ ବି ଦିଆଯାଇଥିଲା । ଆଉ ସନ୍ଧ୍ୟାରେ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଫୋନ୍ ମଧ୍ୟ କରାଯାଇଥିଲା ।

ରାଂଚିର ମୁଳବାସିନ୍ଦା ମୁକୁଲ ରାୟଗଡ଼ାରେ ରେଳ ବିଭାଗର ମେକାନିକାଲ ବିଭାଗରେ ବରିଷ୍ଠ କିରାଣୀ ଭାବେ କାମ କରୁଥିଲେ । ହୋଲି ଛୁଟିରେ ଘରକୁ ଯାଇ ଫେରିଥିଲେ । ଆଉ ଘରୁ ଫେରିବାର କିଛି ଦିନ ପରେ ତାଙ୍କୁ ଜ୍ୱର ହୋଇଥିଲା, ପରେ କରୋନା ଚିହ୍ନଟ ହୋଇଥିଲେ । ମୁକୁଲଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପରିବାର ଲୋକ ରାଂଚରୁ ଆସି, ପ୍ରଶାସନର ତତ୍ୱାବଧାନରେ ଅନ୍ତିମ ସଂସ୍କାର କରିଛନ୍ତି ।