ନୀଳଗିରିରେ ପହଞ୍ଚିଲା ଦିଲ୍ଲୀ ପୋଲିସ : ଦିଲ୍ଲୀରୁ ଚୋରି କରି ଓଡିଶାରୁ ଗିରଫ ହେଲେ ଯୁବକ

33

କନକ ବ୍ୟୁରୋ : ନୀଳଗିରିରେ ଦିଲ୍ଲୀ ପୋଲିସ । ଦିଲ୍ଲୀରୁ ଚୋରି କରି ଓଡିଶାରେ ଗିରଫ । ଏକ ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ଜଣେ ଯୁବକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁଯାୟୀ ନୀଳଗିରି ଥାନା ଭିମେଇ ଗାଁର ଜଣେ ଯୁବକ ଦିଲ୍ଲୀ ବଡାହିନ୍ଦୁରାଓର ଏକ ସୁନା ଦୋକାନରେ କାମ କରୁଥିଲେ । ତେବେ ଗତ ଜୁଲାଇ ୨ ତାରିଖରେ ଦୋକାନରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ସୁନା, ରୂପା କଏନ୍ ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି କରି ଗାଁକୁ ପଳାଇ ଆସିଥିବା ଅଭିଯୋଗ ହୋଇଥିଲା ।

ଏ ସଂପର୍କରେ ସୁନା ଦୋକାନ ମାଲିକ ୩ ତାରିଖରେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ଏପଟେ ଅଭିଯୁକ୍ତ ଘରେ ୧୫ ଦିନ ରହିବା ପରେ ମୁମ୍ବାଇ ପଳାଇ ଯାଇ ସେଠାରେ କାମ କରୁଥିଲେ । କିନ୍ତୁ ନିଜ ନାଁ ପରିବର୍ତ୍ତନ କରି ଫେସବୁକ୍ ଚଳାଉଥିବା ଅଭିଯୁକ୍ତକୁ ମୁମ୍ବାଇ ଯାଇ ସେଠାରୁ ଗତ ୨୫ ତାରିଖରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଗତକାଲି ଅଭିଯୁକ୍ତକୁ ଧରି ନୀଳଗିରିରେ ପହଁଚିବା ପରେ ସ୍ଥାନୀୟ ପୋଲିସ ସହାୟତାରେ ଚୋରି ସୁନା ରୂପା କଏନ୍ ସହ ଅଳଙ୍କାର ଜବତ କରିଛି ଦିଲ୍ଲୀ ପୋଲିସ । ଏହା ସହ ଅଭିଯୁକ୍ତକୁ ନେଇ ଦିଲ୍ଲୀ ଯାଇଥିବା ମଧ୍ୟ ସୂଚନା ମିଳିଛି ।