ହ୍ୱିଲ ଚେୟାରରେ ବସି ନିର୍ବାଚର ପ୍ରଚାର କରିବେ ମମତା ବାନାର୍ଜୀ । ହସ୍ପିଟାଲ ବେଡରୁ ଦଳୀୟ କର୍ମୀଙ୍କୁ ଶାନ୍ତି ବଜାୟ ରଖିବାକୁ କଲେ ଅପିଲ  ।

103

କନକ ବ୍ୟୁରୋ : ହ୍ୱିଲ ଚେୟାରରେ ବସି ପ୍ରଚାର କରିବେ ମମତା ବାନାର୍ଜୀ । ଆହତ କାରଣରୁ ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାତିଲ ହେବ ନାହିଁ ହସ୍ପିଟାଲ ବେଡରୁ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଜାରି କରି ଏହା କହିଛନ୍ତି ମମତା ବାନାର୍ଜୀ । ସମର୍ଥକଙ୍କୁ ଅପିଲ କରି ଶାନ୍ତି ବଜାୟ ରଖିବାକୁ ସେ ଅପିଲ କରିଛନ୍ତି । ଏଥିସହ ସେ କହିଛନ୍ତି, ତାଙ୍କର ବିଶ୍ୱାସ ରହିଛି, ଖୁବ ଶୀଘ୍ର ସେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବେ ।ଆଉ ହ୍ୱିଲ୍ ଚେୟାରରେ ବସି ପ୍ରଚାର କରିବେ ।  ହସ୍ପିଟାଲ ପକ୍ଷରୁ କୁହାଯାଇଛି ମମତାଙ୍କ ବାମ ଗୋଡ ଗୋଇଠିରେ ଆଘାତ ଲାଗିଛି. ଏବଂ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛିା

କୋଲକାତାର ଏସଏସକେଏମ୍ ଡାକ୍ତରଖାନା  ବେଡରେ ଚିକିତ୍ସିତ ହେଉଛନ୍ତି ମମତା ବାନାର୍ଜୀ । ବାଁ ଗୋଡ ପ୍ଲାଷ୍ଟର ହୋଇଛି   ଓ ସେ ଶୋଇ ରହିଛନ୍ତି । ତାଙ୍କ ଅବସ୍ଥା ସମ୍ପର୍କରେ ମେଡିକାଲ ବୁଲେଟିନ୍ ଜାରି କରି ସୂଚନା ଦିଆଯାଇଛି ଯେ, ବାମ ଗୋଡରେ ଆଘାତ ଲାଗିଛି, ଏବଂ ୬ ଜଣିଆ ଡାକ୍ତରୀଦଳ  ତାଙ୍କ ଚିକିତ୍ସା କରୁଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି । 

ଏହି ହସପିଟାଲ ଏବେ ପାଲଟି ଯାଇଛି ରାଜନୈତିକ କେନ୍ଦ୍ରବିନ୍ଦୁ । ପୁତୁରା ଅଭିଷେକ ବାନାର୍ଜୀ, ଟିଏମସି ସାଂସଦ ମିମି ଚକ୍ରବର୍ତି, ନୁସରତ ଜାହାଁ, ବାଚସ୍ପତି ବିମନ ବାନାର୍ଜୀ ମଧ୍ୟ ଦିଦିଙ୍କୁ ଭେଟିଛନ୍ତି । ତେବେ  ଘଟଣା ସେତେବେଳେ ରୋଚକ ହୋଇଥିଲା ଯେତେବେଳେ ବିଜେପିର ଏକ ଟିମ୍ ଡାକ୍ତରଖାନାରେ ପହଁଚି ଦିଦିଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । 

ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେପଟେ ଘଟଣା ନେଇ ଟିଏମସି ବିଜେପିକୁ ଆକ୍ରମଣ କରିଛି । ଜବାବରେ ବିଜେପି କହିଛି , ଲୋକଙ୍କ ସମବେଦନା ସାଉଁଟିବାକୁ ଏହା ମମତାଙ୍କ ଏକ ଚାଲ୍ । ବୁଧବାର ନନ୍ଦିଗ୍ରାମରେ ନାମାଙ୍କନ କରି ଫେରିବା ସମୟରେ ମମତାଙ୍କୁ ୪-୫ ଜଣ ଠେଲିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୋଲିସ ନିଜ ଆଡୁ ମାମଲା କରି ତଦନ୍ତ କରୁଛି  । ସେପଟେ ଘଟଣା ନେଇ ପଶ୍ଚିମବଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ଉଭୟ ଟିଏମସି ଓ ବିଜେପିର ପ୍ରତିନିଧି ଦଳ । ଘଟଣା ପାଇଁ ବିଜେପିକୁ ଟିଏମସି ଦାୟୀ କରିଥିବାବେଳେ, ଏହାକୁ ମମତାଙ୍କ ଚାଲ୍ ବୋଲି କହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି ।