ମହାରାଷ୍ଟ୍ରକୁ ପୁଣି ଫେରିଲା ତାଲାବନ୍ଦ । ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍ ।

106

କନକ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁର ସହରରେ ସଂପୂର୍ଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ  ୨୧ ତାରିଖ ଯାଏଁ ସେଠାରେ ସଂପୂର୍ଣ୍ଣ ଲକଡାଉନ୍ ହେବ । ଏହି ସମୟରେ କୌଣସି ଲୋକ ଘରୁ ବାହାରିପାରିବେ ନାହିଁ । କେବଳ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ବୁଧବାର ନାଗପୁରରେ ୧୭୧୦ ନୂଆ ମାମଲା ଚିହ୍ନଟ ହେବା ପରେ ସତର୍କ ହୋଇଛି ନାଗପୁର ମହାନଗର ନିଗମ ।

ଆସନ୍ତା ୧୫ ତାରିଖରୁ ମହାରାଷ୍ଟ୍ରର ନାଗପୁରରେ ତାଲାବନ୍ଦ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ପୁଣି ଥରେ ଲକଡାଉନର ସେହି ଯନ୍ତ୍ରଣା ଏବଂ ପୁଣି ଥରେ ସେହି ଅସୁବିଧା ଭୋଗିବାକୁ ଯାଉଛନ୍ତି ନାଗପୁରବାସୀ ।  କାରଣ ଏଠାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ବୁଧବାର ନାଗପୁରରେ ୧୭୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନେଇଛି ପ୍ରଶାସନ । ତେବେ ତାଲାବନ୍ଦ ସମୟରେ..

– କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲାଯିବ

– କେହି ଘରୁ ପଦାକୁ ବାହାରି ପାରିବେ ନାହିଁ

– ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ

ଗତ ୨୪ ଘଂଟା ଭିତରେ ଦେଶରେ ୨୨ ହଜାର ୮୫୪ ଟି କରୋନା ମାମଲା ରେକର୍ଡ କରାଯାଇଛି । ଗତ ଅଢେଇମାସ ଭିତରେ ଏହା ସବୁଠାରୁ ବଡ ସଂଖ୍ୟା । ଆଉ ଏହା ଭିତରେ ମହାରାଷ୍ଟ୍ରର ସଂକ୍ରମଣ ସଂଖ୍ୟା ସବୁଠାରୁ ଅଧିକ । କେନ୍ଦ୍ର ସରକାର କହିଛନ୍ତି, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏଭଳି ଭାବେ ବଢିବା ଚିନ୍ତାଜନକ ବିଷୟ । ଫେବୃଆରୀ ମଧ୍ୟଭାଗରେ କରୋନା ସଂକ୍ରମଣ କମିବା ପରେ ପୁଣି ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଗୁଜରାଟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ଓଡିଶା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂଖ୍ୟା କମିବାରେ ଲାଗିଛି ।

ଅନ୍ୟପଟେ ଦେଶରେ ଟିକାକରଣ ଜାରି ରହିଛି । ଏ ଯାଏଁ ୨ କୋଟି ୫୬ ଲକ୍ଷ ୮୫ ହଜାର ଲୋକଙ୍କୁ ଟିକା ଦିଆଗଲାଣି । କିନ୍ତୁ  ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ଏକ ବିଶାଳ ଦେଶରେ କରୋନାର ଦ୍ୱିତୀୟ ଲହରକୁ ଅଟକାଇବା ପାଇଁ ଆହୁରି ଦ୍ରୁତଗତିରେ ଟିକାକରଣର ଆବଶ୍ୟକତା ରହିଛି ବୋଲି  ବିଶେଷଜ୍ଞମାନେ ମତ ଦେଉଛନ୍ତି ।