ସରକାରୀ ଜମିକୁ ମାଡ଼ି ବସିଛନ୍ତି ଆନ୍ଧ୍ର କମ୍ପାନୀ : ମାଲକାନଗିରିରୁ ଆସିଲା ଜମି ଜବରଦଖଲର ସ୍ପଷ୍ଟ ଉଦାହରଣ; ୬ଏକର ଜମିର ମାଲିକାନା ଥାଇ ମାଡ଼ିବସିଛନ୍ତି ୨୮ଏକର ଜମି

104

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଲଘୁ ଖଣିଜ ବିବାଦ ନିଲାମ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଅସିବା ପରେ ଏବେ ଖଣି ସମ୍ପର୍କିତ ଭିନ୍ନ ଭିନ୍ନ ତଥ୍ୟ ସାମନାକୁ ଆସୁଛି । ଯେଉଁ ଆନ୍ଧ୍ର ଠିକାଦାର ବା କମ୍ପାନୀକୁ ପୂର୍ବତନ ଜିଲ୍ଲାପାଳ ଅହେତୁକ ଅନୁକମ୍ପା ଦେଖାଇ ଥିବା ଅଭିଯୋଗ ହୋଇଛି, ସେଇ କମ୍ପାନୀ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ବର୍ଷ ବର୍ଷ ଧରି ଏକର ଏକର ସରକାରୀ ଓ ଜଂଗଲ ଜମିକୁ ବେଆଇନ ଭାବେ ମାଡି ବସିଛି । ଏମିତି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ମୋଟୁ ଅଂଚଳର ଜମିକୁ ଆନ୍ଧ୍ର କମ୍ପାନୀ ମାଡି ବସିଛି ।

ସେପଟେ ସରକାରୀ ୱେବ-ସାଇଟ ଏବଂ ଗ୍ରାଉଣ୍ଡ ଜିରୋରୁ ଯେଉଁ ତଥ୍ୟ ମିଳିଛି, ତାହା ରାଜସ୍ୱ ବିଭାଗ ଓ ଆନ୍ଧ୍ର ବ୍ୟବସାୟୀଙ୍କ ମଧୁଚନ୍ଦ୍ରୀକାର ଆଉ ଏକ ଫର୍ଦ୍ଦ ସାମନାକୁ ଆଣିଛି । ଗୁଗଲ ମ୍ୟାପରୁ ଆସିଥିବା ଏହି ସାଟେଲାଇଟ ଇମେଜ ଓ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗର ଏହି ମ୍ୟାପରୁ ଆସିଛି ଏଭଳି ଚିତ୍ର । ଯେଉଁଥିରେ ପ୍ରାୟ ୧୧ ଦଶମିକ ୩୯୫ ହେକ୍ଟର ବା ୨୮ ଏକର ଜମିକୁ ବେଆଇନ ଭାବେ ମାଡି ବସିଛି ଆନ୍ଧ୍ରର ଭିଜି ଗ୍ରାନାଇଟ୍ କମ୍ପାନୀ । ଜଂଗଲ ଗୁଡିକ ମଧ୍ୟ କାଟି ସଫା କରିଦେଇଛି । ତୁରନ୍ତ ଏହାର ତଦନ୍ତ କରି ଆନ୍ଧ୍ର କମ୍ପାନୀର ଜବର ଦଖଲରେ ଥିବା ସରକାରୀ ଓ ଜଙ୍ଗଲ ଜମି ଉଚ୍ଛେଦ ପାଇଁ ଦାବୀ କରିଛନ୍ତି କଂଗ୍ରେସ ନେତା ।