ଅକ୍ସିଜେନ ଯୋଗାଣ ନେଇ ସରିଲା ଉଚ୍ଚସ୍ତରୀୟ ବୈଠକ । ଜାଣନ୍ତୁ ଅଧିକାରୀଙ୍କୁ କଣ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

150

କନକ ବ୍ୟୁରୋ : ସାରା ଦେଶରେ ଅକ୍ସିଜେନର ଉପଲବ୍ଧତା ବଢାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧିକାରୀମାନେ ଦେଶରେ ଅକ୍ସଜେନ ଯୋଗାଣ ଓ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନା ନେଇ ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି କି ସାରା ଦେଶକୁ ୧୫୦୦ ରୁ ଅଧିକ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଆସୁଛି । ଯାହା ମଧ୍ୟରେ ପିଏମ କେୟାର୍ସ ସହ ବିଭିନ୍ନ ମନ୍ତ୍ରଣାଳୟର ଯୋଗଦାନ ରହିଛି ।
ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି କି ପିଏମ କେୟାର୍ସ ଫଣ୍ଡରୁ ଆସୁଥିବା ଅକ୍ସିଜେନ ପ୍ଲାଣ୍ଟସବୁ ରାଜ୍ୟର ସବୁ ଜିଲ୍ଲାରେ ସ୍ଥାପନା କରାଯିବ । ଏହି ସବୁ ପ୍ଲା୍ଣ୍ଟ ଉତ୍ପାଦନ ଆରମ୍ଭ କଲେ ୪ ଲକ୍ଷରୁ ଉର୍ଦ୍ଧ ଅକ୍ସିଜେନ ଯୁକ୍ତ ବେଡ ପାଇଁ ପର୍ଯ୍ୟାପ୍ତ ଆକ୍ସିଜେନ ଯୋଗାଯାଇ ପାରିବ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଖୁବଶୀଘ୍ର ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ କରାଯାଉ ଓ ସବୁ ରାଜ୍ୟସରକାରଙ୍କ ସହ ମିଶି କାମ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହ ଅକ୍ସିଜେନ ପ୍ଲାଣ୍ଟକୁ ଠିକରେ ସଂଚାଳନ କରିବା ଓ ଦେଖାରଖା କରିବାକୁ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ କହିଥିବା ବେଳେ ଅଧିକାରୀମାନେ କହିଛନ୍ତି କି ବିଶେଷଜ୍ଞ ମାନଙ୍କ ଦ୍ୱାରା ଏକ ପ୍ରଶିକ୍ଷଣ ମଡେଲ ପ୍ରସ୍ତୁତ କରାଯାଇଛି । ଯିଏ କି ସାରା ଦେଶରେ ୮୦୦୦ ଲୋକଙ୍କୁ ପ୍ରଶିକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି ସ୍ଥାନୀୟ ଓ ରାଷ୍ଟ୍ରୀୟ ସ୍ତରରେ ଅକ୍ସିଜେନ ପ୍ଲାଣ୍ଟ ଗୁଡିକର ପ୍ରଦର୍ଶନ ଓ ରକ୍ଷାବେକ୍ଷଣ କରିବାକୁ ଆଇଓଟି ଭଳି ଅନ୍ୟ ଟେକନିକ୍ ଉପଯୋଗ କରିବା ଦରକାର । ଅକ୍ସିଜେନ ପ୍ଲାଣ୍ଟର ପ୍ରଦର୍ଶନ ଉପରେ ନଜର ରଖିବାକୁ ଆଇଓଟି ସହ ଏକ ପାଇଲଟ ଟିମ ବାବଦରେ ଅଧିକାରୀମାନେ ପ୍ରଧାମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ,ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ମହତ୍ୱପୂର୍ଣ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ ।