ମହାରଥୀଙ୍କ ଯୋଗୀ ଅବତାର ! ଅଚାନକ୍ ବ୍ଲକ୍ ପରିଦର୍ଶନ ସହ ଫାଇଲପତ୍ର ଯାଂଚ କଲେ ପଂଚାୟତିରାଜ ମନ୍ତ୍ରୀ

35

କନକ ବ୍ୟୁରୋ : ଯୋଗୀ ସରକାରଙ୍କ ରାସ୍ତାରେ ବିଜେଡି । ନିଜ ବିଭାଗ ସଜାଡିବା ସହ ଅଧିକ କ୍ରିୟାଶୀଳ କରିବାକୁ ତତ୍ପର ହୋଇଉଠିଛନ୍ତି ମନ୍ତ୍ରୀ । ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତାପରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଅଚାନକ ଅନୁଧ୍ୟାନରେ ବାହାରି ନିଜ ବିଭାଗର ସମୀକ୍ଷା କରିଥିବା ଦେଖାଯାଇଛି । ଆଜି ପାଳି ଥିଲା ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ।

ଦେଖନ୍ତୁ କିଭଳି ଥିଲା ମନ୍ତ୍ରୀ ମହାରଥୀଙ୍କ ଅନ୍ଦାଜ୍ :

ସକାଳ ପ୍ରାୟ ୭ଟା । ପଂଚାୟତିରାଜ ମନ୍ତ୍ରୀ ବାହାରିଥିଲେ ନିଜ ବିଭାଗ ଅନୁଧ୍ୟାନରେ । ନିଜ ଗାଡି ନେଇ ପହଁଚିଥିଲେ ଭୁବନେଶ୍ୱର ଉପକଂଠ ବାଲିଅନ୍ତା ବ୍ଲକ୍ ଅଫିସରେ । ମନ୍ତ୍ରୀଙ୍କ ଅଚାନକ ଗସ୍ତ ଦେଖି ହଡବଡେଇ ଯାଇଥିଲେ କିଛି କର୍ମଚାରୀ । ପ୍ରଥମେ ବିଡିଓଙ୍କ ଠାରୁ ମନ୍ତ୍ରୀ ଫାଇଲ୍ ମାଗିଥିଲେ । ତାପରେ ଆରମ୍ଭ ହୋଇଥିଲା ଯାଂଚ୍ ।

ବାଲିଅନ୍ତା ପରେ ମହାରଥୀ ବାହାରିଥିଲେ ବାଲିପାଟଣା ବ୍ଲକ୍ । ପଂଚାୟତ ଅଫିସରେ ବେଶ୍ କିଛି ସମୟ ଧରି ଚାଲିଥିଲା ପଂଚାୟତିରାଜ ମନ୍ତ୍ରୀଙ୍କ ତନାଘନା । ସେଠାରେ ବି ମନ୍ତ୍ରୀ ଫାଇଲ୍ ଯାଂଚ୍ କଲେ । ଲୋକଙ୍କ ଅଭିଯୋଗ ଶୁଣିଲେ । ଏପରିକି ବିଳମ୍ବରେ ଆସିଥିବା କର୍ମଚାରୀଙ୍କୁ ତାଗିଦ ବି କରିଥିଲେ ।

ସ୍ମାର୍ଟ ଭୁବନେଶ୍ୱର ଭଳି ସ୍ମାର୍ଟ ହେବ ସବୁ ପଂଚାୟତ । ବର୍ଷକ ଭିତରେ ପଂଚାୟତରାଜ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଟାର୍ଗେଟ୍ ରଖିଛନ୍ତି ମହାରଥୀ । ମହାରଥୀଙ୍କ ଭଳି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଅଚାନକ ବାହାରିଥିଲେ କ୍ୟାପିଟାଲ୍ ହସପିଟାଲ ପରିଦର୍ଶନରେ । ସକାଳୁ ସକାଳୁ ହାପ୍ ପ୍ୟାଂଟ୍-ଟିସାର୍ଟରେ ହସପିଟାଲରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ । ତାଙ୍କ ପଛକୁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବି ପେଟ୍ରୋଲ୍ ପମ୍ପରେ ତେଲ ଚୋରି ନେଇ ରେଡ୍ ମାରିଥିଲେ । ଆଜି ଥିଲା ମନ୍ତ୍ରୀ ମହାରଥୀଙ୍କ ଦିନ ।