କିଏ ଧରିବ ‘ମଧ୍ୟପ୍ରଦେଶ’ର ମଙ୍ଗ? ମୁଖ୍ୟମନ୍ତ୍ରୀ ପାଇଁ ଶିବରାଜ ସିଂହ ଚୌହାନ ଫ୍ରଂଟ ରନର ହେଲେବି ନୁହଁନ୍ତି ଏକମାତ୍ର ବିକଳ୍ପ

2,329

କନକ ବ୍ୟୁରୋ: ଗୋଟିଏ ପଟେ ମହାମାରି କରୋନା ଭାଇରସ ବିରୁଦ୍ଧରେ ପୂରା ଦେଶରେ ଲଢେଇ ଜାରି ରହିଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶରେ କଂଗ୍ରେସକୁ ସିପାହୀ ଯୁଦ୍ଧରେ ପରାସ୍ତ କରିଛି ଭାରତୀୟ ଜନତା ପାର୍ଟି । କମଳନାଥ ସରକାର ସତ୍ତାରୁ ବାହାରି ଯାଇଛି ସତ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ମଧ୍ୟପ୍ରଦେଶରେ ନା ସରକାର ଗଢିପାରିଛି ନା ହିଁ ବିଧାୟକ ଦଳର ନେତା ଚୟନ କରିପାରିଛି । ଆଉ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମଧ୍ୟପ୍ରଦେଶବାସୀ ବର୍ତ୍ତମାନ ବିନା ସରକାରରେ ଚାଲୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ଆସନ ଅପେକ୍ଷାରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାରଜ ସିଂହ ଚୌହାନ । ମଧ୍ୟପ୍ରଦେଶର ମଙ୍ଗ ଧରିବାକୁ ଶକ୍ତ ଦାବିଦାର ସାଜି ଥିବା ଶିବରାଜ ସିଂହ ଚୌହାନକୁ ବର୍ତମାନ ସୁଦ୍ଧା ଦଳ ପକ୍ଷରୁ କୌଣସି ବି ସବୁଜ ସଂକେତ ମିଳିନାହିଁ । ଯାହାଦ୍ୱାରା ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିବାକୁ ଶିବରାଜ ସିଂହ ବିଜେପିରେ ଏକମାତ୍ର ବିକଳ୍ପ ନୁହଁନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି । ତେବେ ମଧ୍ୟପ୍ରଦେଶ ରାଜନୀତିରେ ଶିବରାଜଙ୍କୁ ସବୁଠାରୁ ଲୋକପ୍ରିୟ ଚେହେରା ଭାବେ ବିବେଚନା କରାଯାଏ । ଏଥି ସହିତ ହିଁ ଉଭୟ ବିଜେପି ଏବଂ ଆରଏସଏସ କ୍ୟାଡରରେ ବି ଶିବରାଜଙ୍କ ବେଶ୍ ଦବଦବା ରହିଛି । ଏପରିକି ଶିବରାଜଙ୍କୁ ସେଠାକାର ଜନତା ମାମାଜୀ ବୋଲି ଆଖ୍ୟା ଦେଇଛନ୍ତି । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବରାଜଙ୍କ ଚେହେରା ଉପଯୁକ୍ତ ବୋଲି ବିବେଚନା କରାଯାଇଛି ।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଂଗ୍ରେସର ୨୨ ଜଣ ବାଗୀ ବିଧାୟକ ମଧ୍ୟ ବିଜେପିରେ ସାମିଲ ହୋଇସାରିଛନ୍ତି । ଏହି ସମସ୍ତ ବିଧାୟକ ଇସ୍ତଫା ଦେଇଛନ୍ତି, ତେଣୁ ସେମାନଙ୍କର ଆସନ ଉପ-ନିର୍ବାଚନ ହେବାକୁ ଯାଉଛି। ଦୁଇଟି ସିଟ୍ ପୂର୍ବରୁ ଖାଲି ଅଛି ଜ୍ଝ ଏଭଳି ପରିସ୍ଥିତିରେ ବିଜେପି ପାଇଁ ଏହି ଉପ-ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ବିଜେପି କଂଗ୍ରେସ ସରକାର ପତନ ହୋଇଛି, କିନ୍ତୁ କ୍ଷମତାକୁ ଆସିବା ପାଇଁ ଉପ-ନିର୍ବାଚନରେ ଜିତିବାକୁ ପଡିବ।