ଲକ୍ ଡାଉନକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ । ତାଲାବନ୍ଦକୁ କଡ଼ାକଡ଼ି ପାଳନ ନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ। ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

2,648

କନକ ବ୍ୟୁରୋ: ଲକଡାଉନ ବା ତାଲାବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ । ଏଣିକି ଲକ୍ ଡାଉନ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଲକଡାଉନକୁ କଡାକଡି ଭାବେ ପାଳନ ନେଇ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶାନାମା ଜାରି କଲେ କେନ୍ଦ୍ର ସରକାର । ତେବେ କରୋନା ମୁକାବିଲା ପାଇଁ ଲକ୍ ଡାଉନ ଘୋଷିତ ହୋଇଥିବା ରାଜ୍ୟମାନଙ୍କରେ ଏହାକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯଦି ଏହି ସମୟରେ କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଲକ୍ ଡାଉନ ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଯେଉଁ ରାଜ୍ୟ ଏବଂ ସହରମାନଙ୍କରେ ଲକ୍ ଡାଉନ ଘୋଷଣା କରାଯାଇଛି ସେହି ସବୁ ଅଂଚଳରେ ତାଲା ବନ୍ଦ ନିର୍ଦ୍ଦେଶକୁ ଆହୁରୀ କଡାକଡି କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିପରି ଲକଡାଉନ ବା ତାଲାବନ୍ଦକୁ ନେଇ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୨୩ଟି ରାଜ୍ୟର ୮୨ ଜିଲ୍ଲାରେ ଲାଗୁ ହୋଇଥିବା ତାଲା ବନ୍ଦକୁ ଲୋକେ ଗୁରୁତର ସହ ନେଉନାହାନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଭୂତାଣୁ ସଂକ୍ରମଣ ମାମଲା ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଏହାପରେ ବି ଲୋକେ ଘରୁ ବାହାରକୁ ବାହାରୁଛନ୍ତି ଏବଂ ଏହି ନିୟମକୁ ଠିକଭାବେ ପାଳନ କରୁନାହାନ୍ତି । ଯାହାକୁ ନେଇ ମୋଦି ଟ୍ୱିଟ କରିବା ସହ ସରକାରୀ ନିୟମକୁ କଡାକଡି ପାଳନ କରିବାକୁ ଅପିଲ କରିଛନ୍ତି । ମୋଦି ଲେଖିଛନ୍ତି ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲକଡାଉନକୁ ଗୁରୁତର ସହ ବା ଗମ୍ଭୀରତାର ସହ ନେଉନାହାନ୍ତି । ତେଣୁ ସମସ୍ତେ ନିୟମ ପାଳନ କରନ୍ତୁ, ସମସ୍ତେ ନିଜକୁ ବଂଚାନ୍ତୁ, ନିଜ ପରିବାରକୁ ବଂଚାନ୍ତୁ । ଏହାସହ ସବୁ ରାଜ୍ୟସରକାରମାନଙ୍କୁ ଏହି ନିୟମ କଡାକଡି ଭାବେ ପାଳନ କରିବାକୁ ମୋଦି ନିବେଦନ କରିଛନ୍ତି ।