ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ହେବା ପରେ ମାତିଲେଣି ଲୁଟେରା । ଅନଲାଇନରେ ରେଜିଷ୍ଟ୍ରେସନ କଲାବେଳେ ଫେକ୍ ଆପ୍ ଜରିଆରେ କରୁଛନ୍ତି ଲୁଟ୍ ।

341

କନକ ବ୍ୟୁରୋ: ଗାଡି ପାଇଁ ହାଇ ସିକ୍ୟୁରିଟ ନମ୍ବର ବାଧ୍ୟତାମୂଳକ ହେବା ପରେ ଏବେ ମାତିଲେଣି ସାଇବର ଠକ । ଠିକ ଇଣ୍ଟରନେଟ ଆଡ୍ରେସରେ ଆପଣ ଯଦି ସର୍ଚ୍ଚ ନ କରନ୍ତି , ତେବେ ଠକେଇରେ ପଡିଯିବାର ସମ୍ଭାବନା ରହିଛି । ଗୁଗୁଲରେ ଏହାର କଷ୍ଟମର କେୟାରକୁ ସର୍ଚ୍ଚ କଲେ ଯେଉଁ ନମ୍ବର ଆସୁଛି , ତାହା ଫ୍ରଡ ନମ୍ବର ବୋଲି ସନ୍ଦେହ ହେଉଛି । ଦେଖନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆପଣଙ୍କୁ କଣ କରିବା ଦରକାର ।

ଗାଡି ଚାଳକଙ୍କ ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ କରାଯିବା ପରେ ଏବେ ଅନଲାଇନରେ ମାତିଲେଣି ସାଇବର ଠକ । ହାଇ ସିକ୍ୟୁରିଟି ନମ୍ବର ପାଇଁ ଆପଣ ଅନଲାଇନରେ ରେଜିଷ୍ଟ୍ରେସନ କଲାମାତ୍ରେ ଅନେକ ପେ।।ର୍ଟାଲ ଆସୁଛି । କିନ୍ତୁ ଏଥିମଧ୍ୟରୁ କିଛି ରେଜିଷ୍ଟ୍ରେସନ ପୋର୍ଟାଲ ଫେକ୍ ବୋଲି ଜଣାଯାଇଛି । ଆପଣ ସର୍ଚ୍ଚ କଲାମାତ୍ରେ କେତେବେଳେ ବି ଆସିପାରେ ଏହି ନକଲି ୱେବସାଇଟ ।

  • ହାଇ ସିକ୍ୟୁରିିଟି ନମ୍ବର ପ୍ଲେଟରେ ଠକେଇ!
  • ଠକେଇରେ ମାତିଛନ୍ତି କି ସାଇବର ଲୁଟେରା?

ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ବାଧ୍ୟତାମୂଳ ହେବା ପରେ ଲୋକଙ୍କୁ ଠକିବା ଲାଗି ଏବେ ଅନଲାଇନରେ ଅନେକ ଠକସଂସ୍ଥା ଏଭଳି ନମ୍ବର ପ୍ଲେଟ ଯୋଗାଉଥିବା ଦାବି କରୁଛନ୍ତି । ଆଗକୁ ଏଭଳି ନମ୍ବର ବାଧ୍ୟତାମୂଳକ ହେବାକୁ ଥିବାରୁ ଏହି ନମ୍ବର ପ୍ଲେଟ ପାଇବା ପାଇଁ ଲୋକେ ଅନଲାଇନରେ ସହାୟତା ନେଉଛନ୍ତି । କିନ୍ତୁ ସହଜରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଯୋଗାଇବାର ଲୋଭ ଦେଖାଇ ଅନଲାଇନରେ ମାତିଲେଣି ସାଇବର ଲୁଟେରା ଆଉ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ ।

ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କରିବାକୁ ଚାହୁଁଛନ୍ତି, ତାହାହେଲେ ପରିବହନ ବିଭାଗର ୱେବସାଇଟରେ ଓଡିଶାଟ୍ରାନସପୋର୍ଟ. ଜିଓଭି. ଇନକୁ ଯାଇ ବୁକ ଏଚଆରପିସି ଉପରେ କ୍ଲିକ କରିପାରିବେ । ନଚେତ୍ ସିଆମ ଡଟ୍ ଇନ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହାଦ୍ୱାରା ଆପଣ ଠକେଇର ଶିକାର ହେବେନି ଓ ଉପଯୁକ୍ତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇପାରିବେ ।

ବିଭିନ୍ନ କାମ ପାଇଁ ଆମେ ସାଧାରଣତଃ ଇଣ୍ଟରନେଟର ସାହାଯ୍ୟ ନେଇଥାଉ । ହେଲେ ସେହି ଇଣ୍ଟରନେଟରେ ଅନେକ ଠକ କମ୍ପାନୀର ୱେବସାଇଟ ଏବଂ ଠକଙ୍କ ନମ୍ବର ଆସିଥାଏ । ଯଦି ୱେବସାଇଟ କିମ୍ବା ନମ୍ବରର ସହୟତା ନିଅନ୍ତି ତାହାହେଲେ ଠକେଇର ଶିକାର ହୁଅନ୍ତି । ତେଣୁ ନମ୍ବର ପ୍ଲେଟ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିବା ସମୟରେ କିଛି ସତର୍କତା ଜରୁରୀ ।

  • ପ୍ରକୃତ ୱେବସାଇଟରେ ପଂଜୀକୃତ କରନ୍ତୁ
  • ୱେବସାଇଟରେ ଏଂଟ୍ରି କରିବା ସମୟରେ ସଂପକ୍ତ ୱେବସାଇଟକୁ ଭଲଭାବେ ଯାଂଚ କରନ୍ତୁ
  • ଗୁଗଲରେ କଷ୍ଟମର କେୟାର ନମ୍ବର ସର୍ଚ କରନ୍ତୁ ନାହିଁ
  • କୌଣସି ସମସ୍ୟା ହେଲେ ସେହି ନିର୍ଦ୍ଦିଷ୍ଟ ୱେବସାଇଟ ଭିତରେ ଟୋଲ-ଫ୍ରି ନମ୍ବର ଖୋଜନ୍ତୁ ଓ ଯୋଗଯୋଗ କରନ୍ତୁ

ଅପରାଧ ନିୟନ୍ତ୍ରଣ ଓ ଅପରାଧୀକୁ ଚିହ୍ନଟ କରିବା ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅନେକାଂଶରେ ସହାୟକ ହେବ ବୋଲି କୁହାଯାଉଛି । ଯାହାଫଳରେ ଏହି ନମ୍ବର ପ୍ଲେଟ ପାଇଁ ଲୋକେ ରେଜିଷ୍ଟ୍ରେସନ କରିବା ଆରମ୍ଭ କରିଛନ୍ତି । ହେଲେ ଏହି ରେଜିଷ୍ଟ୍ରେସନ ଅନଲାଇନରେ କରାଯାଉଥିବାରୁ ଅନଲାଇନ ଠକାମିର ଆଶଙ୍କା ବଢିଯାଇଛି ।