ନୁପୁର ଶର୍ମାଙ୍କ ଟିପ୍ପଣୀ ପରେ ଦେଶ ପାଇଁ ବଢୁଛି ଅଡୁଆ, ଆତ୍ମଘାତି ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ

267

କନକ ବ୍ୟୁରୋ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଟିପ୍ପଣୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବା ନା ନେଉନି । ବିଭିନ୍ନ ଗଲଫ ଓ ଇସଲାମିକ ଦେଶ ଏହି ବୟାନକୁ ବିରୋଧ କରି ଭାରତକୁ ସମାଲୋଚନା କରୁଛନ୍ତି । ଏବେ ସୋସିଆଲ ମିଡିଆରେ ଚିଠି ପୋଷ୍ଟ କରି ଭାରତକୁ ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା । ଚିଠିରେ ଅଲକାଏଦା କହିଛି କି–ଯେଉଁମାନେ ପ୍ରଫେଟ ମହମ୍ମଦଙ୍କୁ ଅପମାନ କରିଛନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ତାଙ୍କ ସମ୍ମାନ ରକ୍ଷା କରିବାକୁ ଯାଇ ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ ଓ ଗୁଜରାଟରେ ହେବ ଆତ୍ମଘାତୀ ବିସ୍ଫୋରଣ । ଏଭଳି ଦୁଃସାହସ କରିଥିବା ଗୋଷ୍ଠୀଙ୍କୁ ଆତ୍ମଘାତୀ ବିସ୍ଫୋରଣ କରି ଉଡ଼ାଇ ଦେବୁ ।

ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିସାରିଛି । ତେବେ ବିବାଦ ଥମିବା ବଦଳରେ ତେଜିବାରେ ଲାଗିଛି । ସେପଟେ ବିଜେପି ବୟାନକୁ ନେଇ ସ୍ପଷ୍ଟୀକରଣ ରଖୁଛି । ଦଳ କହିଛି ବିଜେପି ଓ ଭାରତ ସରକାର ସମସ୍ତ ଧର୍ମକୁ ସମ୍ମାନ ଜଣାନ୍ତି । ଏଭଳି ବୟାନ ଆଦୌ ଗ୍ରହଣୀୀୟ ନୁହେଁ । ଏହା ଦେଶର ନୁହେଁ ବଂର ଏକ ବ୍ୟକ୍ତିଗତ ଟିପ୍ପଣୀ । ଏଥିସହ କେନ୍ଦ୍ରମନ୍ତ୍ରୀ ମୁୁକ୍ତାର ଆବାସ ନକଭୀ କହିଛନ୍ତି ଭାରତ ଉପରେ ସବୁବେଳେ କ୍ରୁର ଦୃଷ୍ଟି ରଖୁଥିବା ଆତଙ୍କୀ ସଂଗଠନର ଏଭଳି ଧମକ କେବଳ ଦେଶ ଉପରେ ଆକ୍ରମଣ ଯୋଜନାକୁ ସ୍ପଷ୍ଟ କରୁଛି । ଭାରତରେ ଅଶାନ୍ତ ମାହୋଲ ସୃଷ୍ଟି କରିବା ପାଇଁ ଏହା ପାକିସ୍ତାନର ଏକ ପ୍ରୋପାଗେଣ୍ଡା ।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ମାଲେସିଆ, କୁଏଦ ଏବଂ ପାକିସ୍ତାନ ସମେତ ୩୦ରୁ ଅଧିକ ରାଷ୍ଟ୍ର ନିନ୍ଦା କରିଛନ୍ତି । କିଛି ଦିନ ପୂର୍ବରୁ ଏକ ଟିଭି ବିର୍ତକ କାର୍ଯ୍ୟକ୍ରମରେ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମା ପେଗାମ୍ବର ମହମ୍ମଦଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ଦେଶବିଦେଶରେ ଝଡ ସୃଷ୍ଟି ହୋଇଛି ।