କହ୍ନୈୟାଲାଲଙ୍କ ହତ୍ୟାକାରୀଙ୍କୁ ପାକିସ୍ତାନ ହ୍ୟାଣ୍ଡେଲର କରୁଥିଲା ବ୍ରେନ ୱାସ୍ । ଜାଣନ୍ତୁ ପୂରା ଘଟଣା ଥିଲା କଣ?

116

କନକ ବ୍ୟୁରୋ : ଉଦୟପୁରର କହ୍ନୈୟାଲାଲ ହତ୍ୟା ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କହ୍ନୈୟାଲାଲଙ୍କ ହତ୍ୟାର ଦୁଇ ଅଭିଯୁକ୍ତ ଗୋସ ମହମ୍ମଦ ଓ ରିଆଜ ଅତାରି ପାକିସ୍ତାନର ସଲମାନ ହାଇଦର ଓ ଅବୁ ଇବ୍ରାହିମଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି । ଗୋଟିଏ ପଟେ ଗୋସ ମହମ୍ମଦ ମନରେ ଘୃଣା ଭାବ ସୃଷ୍ଟି କରିବାରେ ସଲମାନ ହାଇଦର ସଫଳ ହୋଇଥିବା ବେଳେ ବିଭିନ୍ନ ପ୍ରକାର ଆତଙ୍କୀ ଟ୍ରେନିଂ ଦେଉଥିଲା ଆବୁ ଇବ୍ରାହିମ । ସଲମାନ ହାଇଦର ଜରିଆରେ ହିଁ ଇବ୍ରାହିମ, ଗୋସ ମହମ୍ମଦକୁ ଭେଟିଥିଲା । ସବୁଠୁ ବଡ କତା ହେଲା ଗୋସ ମହମ୍ମଦ ଘରୁ ଜାକିର ନାଏକର ଭାଷଣର କିଛି ଭିଡ଼ିଓ ମିଳିଛି ।

କହ୍ନୈୟାଲାଲଙ୍କ ହତ୍ୟାକାରୀଙ୍କ ସମ୍ପର୍କ ଆଇଏସ ସହ ରହିଥିଲା କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଏନେଇ ଏବେ ଯାଞ୍ଚ ଜାରି ରହିଛି । ଏନଆଇଏ ଦୁଇ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରୁଛି । ହତ୍ୟା ଅଭିଯୁକ୍ତଙ୍କ ନିକଟରୁ ଇଲେକଟ୍ରୋନିକ୍ସ ଡିଭାଇସ ଜବତ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ ଏବେ ଆଜମେରର ହାଇ ସିକ୍ୟୁରିଟି ଜେଲରେ ଭର୍ତ୍ତି କରାଯାଇଛି ।

ଏସବୁ ଭିତରେ ଉଦୟପୁରର ଏସପି ଓ ଆଇଜିଙ୍କୁ ହଟାଯାଇଛି । ଉଭୟ ଅଫିସରଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ସରକାର । ସେହିଭଳି ଏହି ଘଟଣାରେ ଜଣେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି । କାରଣ ଉକ୍ତ ଏଏସଆଇ କହ୍ନୈୟାଲାଲଙ୍କ ଅଭିଯୋଗକୁ ଏତେ ଗୁରୁତର ସହ ଗ୍ରହଣ କରି ନଥିଲେ । କହ୍ନୈୟାଲାଲଙ୍କ ମୃତ୍ୟୁକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିଥିଲା । କାରଣ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ନେଇ କହ୍ନୈୟାଲାଲ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏଥିପାଇଁ ସୁରକ୍ଷା ଦେବାକୁ କହିଥିଲେ । କିନ୍ତୁ ପୋଲିସ ସୁରକ୍ଷା ଦେବା ବଦଳରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରିଥିଲା ।