ଆଜିଠୁ ଆରମ୍ଭ ହେଲା ‘କାଳିଆ’ ଯୋଜନା ! ଚାଷୀଙ୍କ ଆକାଉଣ୍ଟକୁ ସିଧା ଯିବ ଟଙ୍କା ।

353

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଉପହାର । ବର୍ଷର ଶେଷ ଦିନରେ କାର୍ଯ୍ୟକାରୀ ହେଲା କାଳିଆ ଯୋଜନା । ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଛି କାଳିଆ ଯୋଜନା । ସିଧାସଳଖ ଚାଷୀ ଏହି ଯୋଜନାର ଫାଇଦା ଉଠାଇବେ । କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଥିବା ସବୁଠାରୁ ବଡ ପ୍ରତିବନ୍ଧକ ଅର୍ଥାତ୍ ପାଣ୍ଠି ସମସ୍ୟା ଦୂର ହେବା ପରେ ଆଜି ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।

ଗତ ୨୧ ତାରିଖରେ କ୍ୟାବିନେଟ ନିଷ୍ପତି ମୁତାବକ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ କୃଷକଙ୍କ ଦାରିଦ୍ର‌୍ୟ ହ୍ରାସ କରିବା ପାଇଁ ଏହି ଯୋଜନା କରିଛନ୍ତି ସରକାର ।

ଏହି ଯୋଜନା ଦ୍ୱାରା ରାଜ୍ୟରେ ୩୦ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯିବ । ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ । କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା,ବିନା ସୁଧରେ ଫସଲ ଋଣ ଯୋଗାଇ ଦିଆଯିବ । ଏହି ସ୍କିମ ମାଧ୍ୟମରେ ୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ । ଏହାଛଡା ଏହି ସ୍କିମରେ ଖରିଫ ଓ ରବି ଚାଷ ପାଇଁ ଚାଷୀ ପରିବାରକୁ ମିଳିବ ୧୦ ହଜାରର ସହାୟତା । ଜମିର ମାଲିକ ନୁହେଁ ବରଂ ଭାଗ ଓ ପ୍ରକୃତ ଚାଷୀ ଏହାର ଫାଇଦା ପାଇବେ ।