ନୂଆବର୍ଷରେ ହ୍ୱାଟସଆପର ଝଟକା ! ମଝିରାତିରେ ଘଣ୍ଟାକ ପାଇଁ ହୋଇଗଲା ବନ୍ଦ, ଅଧାରେ ରହିଗଲା ଶୁଭେଚ୍ଛା ବାର୍ତ୍ତା

53

ନୂଆବର୍ଷ ଆରମ୍ଭର ପ୍ରଥମ ଘଣ୍ଟାରୁ ବନ୍ଦ ହୋଇଗଲା ହ୍ୱାଟସଆପ । ୨୦୧୮ ଆରମ୍ଭରୁ ଗ୍ରାହକଙ୍କୁ ଝଟକା ଦେଲା ହ୍ୱାଟସଆପ । ଯାହାଫଳରେ ନୂଆବର୍ଷ ଅନେକ ଲୋକଙ୍କ ପାଇଁ ଫିକା ପଡିଯାଇଛି । ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପୂର୍ବରୁ ବନ୍ଦ ହୋଇଯାଇଥିଲା ହ୍ୱାଟସଆପ । ରାତି ୧୨.୧୦ରେ ହଠାତ୍ ହ୍ୱାଟସଆପ କାମ କରିବା ବନ୍ଦ କରିଦେଇଥିଲା । ଅଧିକାଂଶ ଲୋକ ହ୍ୱାଟସଆପରେ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ପଠାଇବାରୁ ଏହି ମେସେଜିଙ୍ଗ ଆପର ସର୍ଭର ଅଧିକ ଭାର ସମ୍ଭାଳି ପାରିନଥିଲା । ଯାହାଦ୍ୱାରା ଦୀର୍ଘ ୧ ଘଣ୍ଟା ଧରି ହ୍ୱାଟସଆପ ସେବା ବନ୍ଦ ହୋଇଯାଇଥିଲା ।

whatsappନୂଆବର୍ଷର କାଉଣ୍ଟଡାଉନ ଆରମ୍ଭ ହେବା ସହ ହ୍ୱାଟସଆପରେ ଛୁଟିଥିଲା ଶୁଭେଚ୍ଛାର ସୁଅ । ହ୍ୱାଟସଆପରେ ଦେଖିବାକୁ ମିଳିଥିଲା ନୂଆବର୍ଷ ଶୁଭେଚ୍ଛାର ଟ୍ରେଣ୍ଟ । ତେବେ ୨୦୧୮ ଆରମ୍ଭ ହେଉ ହେଉ ହ୍ୱାଟସଆପରେ ବଢିଚାଲିଥିଲା କଲ ଓ ମେସେଜ । ତେବେ ନୂଆବର୍ଷ ଆରମ୍ଭ ହେବାର ମାତ୍ର ୨୦ ମିନିଟ ପରେ ଅତ୍ୟଧିକ କଲ ଓ ମେସେଜ ପାଇଁ ଏହାର ସର୍ଭର କିଛି ସମୟ ପାଇଁ ଡାଉନ ହୋଇଯାଇଥିଲା । ହଠାତ୍ ଠପ୍ ହୋଇଯାଇଥିଲା ହ୍ୱାଟସଆପ ସେବା । ପାଖାପାଖି ୧ ଘଣ୍ଟା ଧରି ଏଭଳି ସମସ୍ୟା ଲାଗି ରହିଥିଲା । ଯାହାଫଳରେ ନିଜ ପ୍ରିୟଜନଙ୍କୁ ମେସେଜ କରିପାରିନଥିଲେ ହ୍ୱାଟସଆପ ବ୍ୟବହାରକାରୀ ।

ହ୍ୱାଟସଆପ ସେବା ବନ୍ଦ ହେବା ଫଳରେ ଏହାର ଅଧିକ ପ୍ରଭାବ ଭାରତ ଉପରେ ପଡିଥିଲା । ହ୍ୱାଟସଆପ ସେବା ବନ୍ଦ ହେବା ଫଳରେ ଲୋକେ ଟ୍ୱିଟରରେ ନୂଆବର୍ଷର ବାର୍ତ୍ତା ପଠାଇବା ଆରମ୍ଭ କରିଥିଲେ । ହ୍ୱାଟସଆପ ସର୍ଭର ଡାଉନ ହେବା ପରେ ଟ୍ୱିଟରରେ ଏହାକୁ ନେଇ ଟ୍ରେଣ୍ଡିଂ ଆରମ୍ଭ ହୋଇଥିଲା । ହ୍ୱାଟସଆପକୁ ନେଇ ଲୋକେ ମଜାଦାର ଟ୍ୱିଟ୍ କରିଥିଲେ । ତେବେ ପ୍ରାୟ ଘଣ୍ଟାକ ପରେ ପୂର୍ବଭଳି ଚାଲିଥିଲା ହ୍ୱାଟସଆପ । ତେବେ ଏହି ଘଟଣା ପାଇଁ ଦୁଃଖିତ ବୋଲି ହ୍ୱାଟସଆପ କର୍ତ୍ତୃପକ୍ଷ କହିଛନ୍ତି । ହ୍ୱାଟସଆପ ସର୍ଭର ଡାଉନ ହେବା କିଛି ନୂଆ କଥା ନୁହେଁ । ଗତ ପାଞ୍ଚ ମାସ ମଧ୍ୟରେ ୩ରୁ ୪ ଥର ଏଭଳି ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ବ୍ୟବହାରକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।