କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଜୁଲାଇ ୩୧ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ ।

247

କନକ ବ୍ୟୁରୋ : ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ ଉପରେ ପୂରା ବିଶ୍ୱର ନଜର ରହିଥାଏ । ଏହି ମ୍ୟାଚ୍ କୌଣସି ହାଇଭୋଲଟେଜ ମୁକାବିଲା ଠାରୁ ମଧ୍ୟ କମ ନୁହେଁ । ଆଉ ଏବେ ପୁଣିଥରେ ଉଭୟ ଟିମ୍ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଇଂଲଣ୍ଡର ଏଜବେଷ୍ଟନ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଏବେ ଲଣ୍ଡନରେ ପହଞ୍ଚି ସାରିଛି ।

ଲଣ୍ଡନରେ ଆୟୋଜିତ ହେବାକୁ ଥିବା କମନୱେଲଥ ଗେମ୍ସରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ମହିଳା କ୍ରିକେଟ ଦଳ । ଆଉ ଏହି ରୋମାଞ୍ଚକର ମୁକାବିଲା ଜୁଲାଇ ୩୧ରେ ଖେଳାଯିବ । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ । ଦୀର୍ଘ ୨୪ ବର୍ଷ ପରେ କମନୱେଲଥ ଗେମରେ କ୍ରିକେଟକୁ ସାମିଲ କରାଯାଇଛି । ତେବେ ଚଳିତଥର କେବଳ ମହିଳା କ୍ରିକେଟ ଦଳକୁ ସୁଯୋଗ ମିଳିଛି । ଏହାପୂର୍ବରୁ ୧୯୯୮ରେ କମନୱେଲଥ ଗେମରେ କ୍ରିକେଟକୁ ସାମିଲ କରାଯାଇଥିଲା ।
ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂଘାମରେ କମନୱେଲଥ ଗେମ୍ ଖେଳାଯିବ । ୭୨ ଦେଶର ପ୍ରାୟ ୪୫୦୦ ଜଣ ଆଥଲେଟ ଏଥିରେ ଭାଗ ନେଇଛନ୍ତି । ମହିଳା କ୍ରିକେଟକୁ ସାମିଲ କରାଯାଇଥିବାରୁ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ଏଥିରେ ସାମିଲ ହୋଇଛି । ଭାରତୀୟ ମହିଳା ଦଳ ଜୁଲାଇ ୨୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ । ସେହିଭଳି ୩୧ ଜୁଲାଇରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ । ସମସ୍ତ ମ୍ୟାଚ୍ ଏଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ । ୭ ଅଗଷ୍ଟରେ ଫାଇନାଲ ମୁକାବିଲା ଖେଳାଯିବ ।