ମୋଦି ଷ୍ଟାଡିୟମରେ ମହାବିଜୟ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ ।

403

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତର ଏଣ୍ଟ୍ରି । ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜରେ ୩-୧ରେ ଆଗୁଆ ରହି ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ଅକ୍ଷର-ଅଶ୍ୱିନୀଙ୍କ ଘାତକ ବୋଲିଂ ବଳରେ ଚତୁର୍ଥ ଟେଷ୍ଟରେ ଇନିଂସ ପରାଜୟବରଣ କରିଛି ଇଂଲଣ୍ଡ । ଇନିଂସ ଓ ୨୫ ରନରେ ପରାଜିତ ହେବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ମଧ୍ୟ ବାଦ୍ ପଡିଛି ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ୫ଟି ଲେଖାଏଁ ୱିକେଟ ବାଣ୍ଟି ନେବା ସହ ଇଂଲଣ୍ଡକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ ଅକ୍ଷର-ଅଶ୍ୱିନ । ଆସନ୍ତା ଜୁନ୍ ୧୮ରେ ଲର୍ଡସ ମୈଦାନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ ।

ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିଲା କୋହଲି ବାହିନୀ । ଆଉ ଶେଷ ମ୍ୟାଚରେ ଜିତିବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ବିରାଟ ବାହିନୀ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଇଂଲଣ୍ଡ । ତେବେ ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଇଂଲଣ୍ଡ । ଅଶ୍ୱିନୀ-ଅକ୍ଷରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ମାତ୍ର ୨୦୫ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଆଉ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତେ୍ୱ ମଧ୍ୟ ରିଷଭଙ୍କ ଦମଦାର ଶତକ ଓ ୱାସିଂଟନ ସୁନ୍ଦରଙ୍କ ଲଢୁଆ ୯୬ ରନ ବଳରେ ୩୬୫ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ଦ୍ୱିତୀୟ ଇନିଂସରେ ମଧ୍ୟ ଇଂଲଣ୍ଡକୁ ସମଦଶା ଭୋଗିବାକୁ ପଡିଥିଲା । ଅଶ୍ୱିନୀ ଓ ଅକ୍ଷର ଅଧା ଅଧା ୱିକେଟ ବାଣ୍ଟି ନେବା ଫଳରେ ମାତ୍ର ୧୩୫ ରନରେ ଅଲଆଉଟ ହେବା ସହ ଇନିଂସ ଓ ୨୫ ରନରେ ପରାଜୟ ବରଣ କରିଥିଲା ଇଂଲଣ୍ଡ । ଏହାପୂର୍ବରୁ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ହରାଇ ଦମଦାର ଫର୍ମରେ ରହିଥିଲା ଟିମ୍ ଇଣ୍ଡିଆ ।