ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡିଲେ ସ୍ୱାମୀ, ସ୍ମୃତିକୁ ଝୁରିଝୁରି ତିଆରି କରିଦେଲେ ତାଜମହଲ ।

298

କନକ ବ୍ୟୁରୋ: କୁହାଯାଏ, ପ୍ରେମ ଓ ଭଲ ପାଇବାର ପ୍ରତୀକ ହେଉଛି ତାଜମହଲ । ପ୍ରେମର ସନ୍ତକ ରୂପେ ସାରା ବିଶ୍ୱରେ ତାଜମହଲ ବେଶ୍ ଖ୍ୟାତି ଅର୍ଜନ କରିଛି । ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ ଶାହାଜାହାନ । ଆଉ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ସ୍ଥାନ ପାଇଛି । ତେବେ ସତରେ ହେଉ କିମ୍ବା ଫଟୋ ଓ ଭିଡିଓରେ ଆପଣ କେବେ ନା କେବେ ତାଜମହଲ ନିଶ୍ଚୟ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ତାଜମହଲ ଦେଖାଇବୁ, ତାହା ଭାରତରେ ନୁହେଁ, ତାହା ତିଆରି ହୋଇଛି ପାକିସ୍ତାନରେ ।

ମମତାଜଙ୍କ ପାଇଁ ଶାହାଜାହାନ ଯେମିତି ତାଜମହଲ ତିଆରି କରିଥିଲେ, ସେମିତି ଆଉ ଜଣେ ଶାହାଜାହାନ, ତାଙ୍କ ପତ୍ନୀଙ୍କ ସ୍ମୃତିରେ ଆଉ ଏକ ତାଜମହଲ ତିଆରି କରିଛନ୍ତି । ତେବେ ଏହି ତାଜମହଲ ଭାରତରେ ତିଆରି ହୋଇନି, ତିଆରି ହୋଇଛି ପାକିସ୍ତାନରେ । ଆଉ ଏହି ତାଜମହଲ ତିଆରି କରିଛନ୍ତି ପାକିସ୍ତାନ ଉମରକୋଟର ଅବଦୁର ରସୁଲ ।

କୁହାଯାଏ ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ହିଁ ସାହାରା ଆଉ ପ୍ରେମ ହିଁ ଆଶ୍ରୟ ଛାୟା । ବୟସର ଅପରାହ୍ନରେ ନିର୍ଭେଜାଲ ପ୍ରେମର ନିଆରା ନିଦର୍ଶନ ଦେଖାଇଛନ୍ତି ପାକିସ୍ତାନର ଅବଦୁର । ନିଜ ବେଗମଙ୍କ ବିୟୋଗ ପରେ ତାଙ୍କ ସ୍ମୃତିକୁ ସାଉଁଟି ରଖିଛନ୍ତି ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ ।

ଅବଦୁର ନିଜ ପତ୍ନୀଙ୍କୁ ଜୀବନ ଠାରୁ ବି ଅଧିକ ଭଲପାଆନ୍ତି । ସେଥିପାଇଁ ତ ନିଜ ପ୍ରେମକୁ ସବୁ ଦିନ ପାଇଁ ସଜେଇ ରଖିବାକୁ ପାକିସ୍ତାନରେ ପ୍ରେମର ସନ୍ତକ ତାଜମହଲ ନିର୍ମାଣ କରିଛନ୍ତି । ଅବଦୁରଙ୍କ କହିବା କଥା ହେଲା, ପ୍ରେମ ମଣିଷକୁ ସବୁ କିଛି ଶିଖାଇଦିଏ । ଅସମ୍ଭବ କାମକୁ ଅନାୟାଶରେ ସମ୍ଭବ କରିଦିଏ ।

ତେବେ ଏ ପ୍ରେମକାହାଣୀ ଏବେର ନୁହଁ । ଅବଦୁରଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା । ସେ ମାରିୟମଙ୍କ ପ୍ରେମରେ ପଡିଯାଇଥିଲେ । ଆଉ ସେତେବେଳେ ମାରିୟମଙ୍କ ବୟସ ପାଖାପାଖି ୪୦ ବର୍ଷ ବୟସ ହୋଇଥିଲା । କୁହାଯାଏ, ପ୍ରେମ ବୟସ ଦେଖେନି, ଦୁଇଟି ମନର ମିଳନ ହୋଇଗଲେ, ତାକୁ ହିଁ ତ ପ୍ରେମ କୁହାଯାଏ । ଆଉ ସେଇଥିପାଇଁ ତ ଉଭୟଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ଥିଲେ ମଧ୍ୟ ସମ୍ପର୍କରେ କୌଣସି ପ୍ରଭାବ ପକାଇନଥିଲା ।

ନିଜ ଭଲପାଇବାକୁ ସବୁଦିନ ବାନ୍ଧି ରଖିବାକୁ ମାରିୟମଙ୍କୁ ବିବାହ କରିଥିଲେ ଅବଦୁର । ବିବାହ ପରେ ଦୁହେଁ ଯେତେବେଳେ ଥରେ ଭାରତ ଗସ୍ତରେ ଆସିଥିଲେ, ସେତେବେଳେ ତାଜମହଲ ତାଙ୍କୁ ବେଶ୍ ଆକୃଷ୍ଟ କରିଥିଲା ।

ତେବେ ୨୦୧୫ରେ ଅବଦୁରଙ୍କ ପତ୍ନୀ ମାରିୟମ ପରପାରିକୁ ଚାଲିଗଲେ । ଆଉ ପତ୍ନୀଙ୍କୁ ଜୀବନ ଠାରୁ ଅଧିକ ଭଲପାଉଥିବା ଅବଦୁର ନିଜ ପ୍ରେୟସୀଙ୍କ ସ୍ମୃତିରେ ଏକ ତାଜମହଲ ନିର୍ମାଣ କାମ ଆରମ୍ଭ କରିଥିଲେ । ଆଉ ଏହି ତାଜମହଲ ନିର୍ମାଣ କରିବା ପାଇଁ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଏହି ତାଜମହଲକୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି ।