୫-ଟିରେ ସ୍କୁଲ ରୂପାନ୍ତରଣ । ଦ୍ବିତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

132

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ୟ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ। ଓଡିଶା ସରକାର ହକିକୁ ସ୍ପନସର କରୁଛି। ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି । ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି –

– ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଞ୍ଚାୟତ
– କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ
– ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଞ୍ଚାୟତ
– ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ
– ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ
– କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ
– ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାଯତ
– ସହିଦ୍‌ ହାଇସ୍କୁଲ, ଟକରଡା ପଞ୍ଚାୟତ
-ମା କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ
– ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ