ମା’ କଲା ଋଣ, ପୁଅକୁ କଲେ ଅପହରଣ । ଧାର ଟଙ୍କା ମା’ ଶୁଝିନପାରିବାରୁ ପୁଅକୁ ଅପହରଣ କଲେ ଦୁର୍ବୃତ୍ତ ।

340

କନକ ବ୍ୟୁରୋ: ମା’ କଲା ଋଣ, ପୁଅକୁ କଲେ ଅପହରଣ । ଧାର ନେଇଥିବା ଟଙ୍କା ମାଆ ସୁଝି ନପାରିବାରୁ ନାବାଳକ ପୁଅକୁ ଛୁରୀ ଦେଖାଇ ଦିନ ଦି ପ୍ରହରରେ କଲେ ଅପହରଣ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ଘଟିଛି ଏଭଳି ସମ୍ବେଦନଶୀଳ ଘଟଣା । ହେଲେ ପୋଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ୫ ଘଣ୍ଟା ଭିତରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଘଟଣାରେ ୩ ଜଣଙ୍କୁ କାବୁ କରିଛି ପୋଲିସ । ଏହାସହ ସେମାନଙ୍କ ଠାରୁ ୨ଟି ବାଇକ୍ ଜବତ ହୋଇଛି ।

ବାଲିପଦର ଫାଣ୍ଡି ଅନ୍ତର୍ଗତ ଅନ୍ତରପଡ଼ା ଗାଁର ସନ୍ତୋଷ ଆପଟ ଓ ପତ୍ନୀ ରୁନୁଲତା ଭୁବନେଶ୍ୱରରେ ଶ୍ରମିକ ଭାବେ କାମ କରନ୍ତି । ପୁଅ ରାଜେଶ ବି ସେଠାରେ ବାପା ମାଆଙ୍କ ସହ ରୁହେ । ରୁନୁଲତା ପ୍ରାୟ ୩ମାସ ତଳେ ଆସିକା ଅଞ୍ଚଳର ସୁନା ବ୍ୟବସାୟୀ ନିରାକରଙ୍କ ଠାରୁ ୯୦ ହଜାର ଟଙ୍କା ଧାର ଆଣିଥିଲେ ଏବଂ ୫ ବର୍ଷ ଭିତରେ ସୁଧ ଓ ମୂଳ ପରିଶୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଧାର ଆଣିବାର ୩ ମାସ ନଯାଉଣୁର ନିରାକାର ରୁନୁଲତାଙ୍କୁ ଟଙ୍କା ମାଗିଥିଲେ । ସେ ଏବେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିବାରୁ ତାଙ୍କ ପୁଅକୁ ଅପହରଣ କରିବା ପାଇଁ ଯୋଜନା କରିଥିଲେ ନିରାକାର । ଏବଂ ରାଜେଶ ଭୁବନେଶ୍ୱରରୁ ଅନ୍ତରପଡା ଆସିଥିବା ବେଳେ ତାଙ୍କ ଘରୁ ଛୁରୀ ଦେଖାଇ ୩ଜଣ ଯୁବକ ତାଙ୍କୁ ଅପହରଣ କରିନେଥିଲେ । ରାଜେଶ ପାଟି କରିବାରୁ ଗାଁର କେତେକ ଲୋକ ବାଇକରେ ସେମାନଙ୍କର ପିଛା କରିଥିଲେ । ତଥାପି ସେମାନଙ୍କୁ କାବୁ କରିପାରିନଥିଲେ । ଶେଷରେ ସେମାନେ ବାଲିପଦର ଫାଣ୍ଡିରେ ସୂଚନା ଦେବା ପରେ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ତୁରନ୍ତ ଆସିକା ଯାଇ ଅପହରଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ।