ପ୍ରେମ, ବିବାହ, ବିଚ୍ଛେଦ ଓ ପରେ ଅନ୍ୟତ୍ର ବିବାହ ! ତଥାପି ସରିଲାନି ଭଲପାଇବା, ୭୨ ବର୍ଷ ପରେ ପୂର୍ବ ପତ୍ନୀଙ୍କୁ ଭେଟିଲେ ୯୦ ବର୍ଷିଅ ବୃଦ୍ଧ ।

ଚଳଚିତ୍ରରେ ଦେଖିବାକୁ ମିଳୁଥିବା ବିଭିନ୍ନ କାହାଣୀ ଭଳି ନାରାୟଣନ ଏବଂ ସାରଦାଙ୍କ ସହ ଘଟିଥିବା ଘଟଣାଟି ବେଶ୍ ମେଳ ଖାଉଛି ।

8,966
କେରଳର ଏକ ଦମ୍ପତି ପ୍ରାୟ ୭୨ ବର୍ଷ ପରେ ପରଷ୍ପରକୁ ଭେଟିଛନ୍ତି । ୯୩ ବର୍ଷିୟ ଇକେ ନାରାୟଣନ ନାମ୍ବିୟାର ୧୯୪୬ ମସିହାରେ କେରଲରେ ହୋଇଥିବା କୃଷକ ଆନ୍ଦୋଳନ କାରଣରୁ ଜେଲ ଯିବାକୁ ପଡିଥିଲା । ନାରାୟଣନ ଜେଲ ଜିବା ସମୟରେ ତାଙ୍କ ପତ୍ନୀଙ୍କ ବୟସ ମାତ୍ର ୧୩ ବର୍ଷ ହୋଇଥିଲା ଏବଂ ନାରାୟଣନଙ୍କ ବୟସ ୧୭ ବର୍ଷ ହୋଇଥିଲା ।
ଚଳଚିତ୍ରରେ ଦେଖିବାକୁ ମିଳୁଥିବା ବିଭିନ୍ନ କାହାଣୀ ଭଳି ନାରାୟଣନ ଏବଂ ସାରଦାଙ୍କ ସହ ଘଟିଥିବା ଘଟଣାଟି ବେଶ୍ ମେଳ ଖାଉଛି । ଏକ ବର୍ଷ କିମ୍ବା ଦୁଇ ବର୍ଷର କଥା ନୁହେଁ, ଏ କାହାଣୀ ୭୨ ବର୍ଷର! ଘଟଣାଟି ହେଉଛି ୧୯୪୬ ମସିହାର। ଯେଉଁ ବର୍ଷ ଏକ ପ୍ରେମୀ ଯୁଗଳ ପରସ୍ପରକୁ ଭେଟିଥିଲେ, ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା, ପ୍ରେମ ହେବାର ୬ ମାସ ମଧ୍ୟରେ ବିବାହ ବି କରିଥିଲେ ପରସ୍ପରକୁ, ଦୁଃଖର କଥା ହେଉଛି ବିଛେଦ ବି ସେହି ବର୍ଷ ହିଁ ଘଟିଥିଲା! ସେମାନଙ୍କ ବିଚ୍ଛେଦର କାରଣ ହେଉଛି କଭୁମ୍ବାଇ କୃଷକ ଆନ୍ଦୋଳନ। ୧୯୪୬ ମସିହାରେ ନାରାୟଣନ୍ ଏବଂ ତାଙ୍କ ବାପା ଥାଲିୟାନ୍ ରମନ ନମ୍ବିୟାର୍ ନିଜ ଜମି ଉପରେ ନିଜର ଅଧିକାର ହାସଲ କରିବା ପାଇଁ ନେତାମାନଙ୍କ ବିରୋଧରେ ସ୍ୱର ଉଠାଇ କୃଷକ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଏହି ବିଦ୍ରୋହ କନୁରର କେତେକ ଅଂଶକୁ ନିଜ ନିୟନ୍ତ୍ରଣରେ ରଖିଥିବା ସାମନ୍ତବାଦୀ କର୍କଟିଦମ ନୟନାରଙ୍କ ବିରୋଧରେ ହୋଇଥିଲା।
ସେହି ବର୍ଷ ଡିସେମ୍ବର ୩୦ ତାରିଖ ସଂଧ୍ୟାରେ ନାରାୟଣନ୍ ଏବଂ ତାଙ୍କ ବାପା ଥାଲିୟାନ୍ ରମନ ନମ୍ବିୟାର୍ ଅନ୍ୟ ୫୦୦ କୃଷକଙ୍କୁ ସାଥିରେ ନେଇ ଅସ୍ତ୍ରଶସ୍ତ୍ର ସହ କର୍କଟିଦମ ନୟନାରଙ୍କ ଘରେ ଆକ୍ରମଣ କରିବା ପାଇଁ ବାହାରି ଯାଇଥିଲେ। ସେମାନେ ନୟନାରଙ୍କ ଘରେ ବଡ଼ି ଭୋରୁ ହମ୍ଲା କରିବାର ଯୋଜନା କରିଥିଲେ। ଏହି ଯୋଜନା ସଂପର୍କରେ ମାଲବରର ସ୍ପେସିଆଲ୍ ପୁଲିସ୍(ଏମ୍ଏସ୍ପି)କୁ ଖବର ମିଳିବା ପରେ ପୁଲିସ୍ ଆସି ମଧ୍ୟରାତ୍ରରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚାଳନା କରିଥିଲା। ସେହି ଗୁଳିଚାଳନାରେ ୫ ଜଣଙ୍କ ଜୀବନ ଯାଇଥିଲା। ସେହି ଅନ୍ଦୋଳନରେ ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ ନାରାୟଣନ୍ ଏବଂ ତାଙ୍କ ବାପା ଥାଲିୟାନ୍ ରମନ। ପରେ ସେମାନଙ୍କୁ କୁନୁର ଓ ସଲେମ୍ ଜେଲରେ ବନ୍ଦୀ କରାଯାଇଥିଲା। ଯଦିଓ ନାରୟଣନଙ୍କ ଦେହରେ ୧୬ଟି ଗୁଳି ବାଜିଥିଲା, ତଥାପି ବି ସେ ବଞ୍ଚି ରହିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବାପାଙ୍କୁ ହିଂସ୍ର ବିରୋଧୀଙ୍କ ସହ ଯୋଗାଯୋଗରେ ରହୁଥିବା ସନ୍ଦେହରେ ଜେଲ୍ ମଧ୍ୟରେ ଗୁଳି କରି ହତ୍ୟା କରାଯାଇଥିଲା। ଯାହାବି ହେଉ, କୌଣସି ମତେ ଆଉ ନାରାୟଣନଙ୍କର ଜେଲରୁ ବାହାରିବାର କିଛି ସମ୍ଭାବନା ଦିଶୁନଥିଲା। ବାଧ୍ୟ ହୋଇ ନାରାୟଣନଙ୍କ ମାଆ ସାରଦାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ। ସାରଦା ପରେ ଦ୍ୱିତୀୟ ବିବାହ କରିଥିଲେ। ୮ ବର୍ଷ ପରେ ୧୯୫୪ ମସିହାରେ ନାରାୟଣନ୍ ଜେଲ୍ରୁ ବାହାରି ସାରଦା ଅନ୍ୟତ୍ର ବିବାହ କରିଥିବା ଜାଣିବାକୁ ପାଇଥିଲେ। ଫଳରେ ସେ ବି ଅନ୍ୟତ୍ର ବିବାହ କରି ସଂସାର କରିଥିଲେ। ସେବେଠୁ ନାରାୟଣନ୍ ଏବଂ ସାରଦାଙ୍କ ପଥ ପୃଥକ ହୋଇ ଯାଇଥିଲା।
ଦୀର୍ଘ ୭୨ ବର୍ଷ ପରେ ନାରାୟଣନଙ୍କ ଝିଆରୀ ତଥା ଲେଖିକା ସାନ୍ଥା କଭୁମ୍ବାଇ ଏହି କାହାଣୀକୁ ଲୋକଲୋଚନକୁ ଆଣିଛନ୍ତି। ସେ ନାରାୟଣନଙ୍କ ଜୀବନର ସଂଘର୍ଷ ଓ ହୃଦୟ ବିଦାରକ କାହାଣୀ ଉପରେ ଏକ ଉପନ୍ୟାସ ଲେଖିବା ପରେ ନାରାୟଣନଙ୍କ ପରିବାର ଲୋକ ତାଙ୍କର ସାକ୍ଷାତ୍ ସାରଦାଙ୍କ ସହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ପରିବାର ପକ୍ଷରୁ ଦିନ ସ୍ଥିର କରି ୭୨ ବର୍ଷ ତଳ ପ୍ରେମୀ ଯୁଗଳଙ୍କ ସାକ୍ଷାତ୍ ପର୍ବର ଆୟୋଜନ କରିଥିଲେ। ସାରଦାଙ୍କ ବୋହୂ, ନାତୁଣୀ ବୋହୂ ପାରମ୍ପରିକ କେରଳୀ ଖାଦ୍ୟ କପା, କାଞ୍ଜି, ପୁଝୁକୁ ରୋଷେଇ କରି ନାରାୟଣନଙ୍କୁ ତାଙ୍କ ଘରକୁ ସ୍ୱାଗତ କରିଥିଲେ। ନାରାୟଣନ୍ ଦୀର୍ଘ ବର୍ଷ ପରେ ସାରଦାଙ୍କୁ ଦେଖି ତାଙ୍କ ମୁଣ୍ଡରେ ହାତ ରଖିଥିଲେ। କିଛି ସମୟର ସାକ୍ଷାତ୍ ପରେ ସାରଦାଙ୍କଠାରୁ ବିଦାୟ ନେଇ ଫେରି ଆସିଥିଲେ ନାରାୟଣନ୍।