କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ପରେ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇଛି । ଆଉ ଏହାସହ ଏବେ ଦେଶରେ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିବ । ତେବେ ନୂଆ କରି ଗଠନ ହୋଇଥିବା ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଜମ୍ମୁ-କାଶ୍ମୀରରେ ବିଧାନସଭା ବ୍ୟବସ୍ଥା ରହିଥିବା ବେଳେ ଲଦାଖରେ ବିଧାନସଭା ବ୍ୟବସ୍ଥା ରହିବ ନାହିଁ । ଏହାପୂର୍ବରୁ କେବଳ ଦିଲ୍ଲୀ ଓ ପଣ୍ଡିଚେରୀରେ ବିଧାନସଭା ବ୍ୟବସ୍ଥା ରହିଥିବା ବେଳେ ବାକି ୫ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନାହିଁ । ତେବେ ପୂର୍ଣ୍ଣ ରାଜ୍ୟ ଠାରୁ କେନ୍ଦ୍ର ଶାସିତ ଅଞ୍ଚଳ କିଭଳି ଭିନ୍ନ ତାହା ଜାଣିରଖନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଏଠାରେ ଶାସନ କ୍ଷମତାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ ଥାଏ । କେନ୍ଦ୍ର ସରକାରଙ୍କ ଆଇନ ସମେତ ରାଜ୍ୟ ସରକାରଙ୍କ ଆଇନ ମଧ୍ୟ ଲାଗୁ କରାଯାଇଥାଏ । ଏଠାରେ ପୋଲିସ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିଥାନ୍ତି । ଏପରିକି ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଥାଏ । ସେହିଭଳି ପ୍ରଶାସକଙ୍କ ନିଯୁକ୍ତି ମଧ୍ୟ ରାଜ୍ୟ ସରକାର କରିଥାନ୍ତି । ସମସ୍ତ ରାଜ୍ୟର ନିଜର ହାଇକୋର୍ଟ ରହିଥିବା ବେଳେ ପଞ୍ଚାବ ଓ ହରିୟାଣାର ହାଇକୋର୍ଟ ଚଣ୍ଡିଗଡ଼ରେ ରହିଛି ।
ସେହିଭଳି ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳରେ ଶାସନ ବ୍ୟବସ୍ଥା କିଛି କ୍ଷେତ୍ରରେ ପୂର୍ଣ୍ଣ ରାଜ୍ୟର ଶାସନ ବ୍ୟବସ୍ଥା ମେଳ ଖାଇଥାଏ । ଏଠାରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥାଏ । ମୁଖ୍ୟମନ୍ତ୍ରୀ କିମ୍ବା ଉପ-ରାଜ୍ୟପାଳଙ୍କ ହାତରେ ଶାସନ ଡୋରି ଦିଆଯାଇଥାଏ । ଏଠାରେ କେନ୍ଦ୍ରର ନିୟମ-କାନୁନ ଲାଗୁ ହୋଇଥାଏ । ତେବେ ରାଜ୍ୟ ସରକାର ଯଦି କୌଣସି ନୂଆ ନିୟମ ଲାଗୁ କରିବାକୁ ଚାହୁଁଥାନ୍ତି ତେବେ ଉପ-ରାଜ୍ୟପାଳଙ୍କ ମଞ୍ଜୁରୀ ନେବାକୁ ପଡିଥାଏ । ଏପରିକି ଉପ-ରାଜ୍ୟପାଳ ମଧ୍ୟ ବିଧାନସଭାରେ ପାରିତ ବିଲକୁ ଖାରଜ କରିପାରିବେ । ଏଠାରେ ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରିଥାନ୍ତି । ଏଠାରେ ପ୍ରଶାସନିକ ଅଧିକାରୀ ମାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥାନ୍ତି । ୧୯୬୬ରେ ଦିଲ୍ଲୀରେ ନିଜସ୍ୱ ହାଇକୋର୍ଟ ନିର୍ମାଣ ହୋଇଥିବା ବେଳେ ଚେନ୍ନାଇ ହାଇକୋର୍ଟ ଅଧିନରେ ପଣ୍ଡିଚେରୀ ରହିଛି ।
ବିଧାନସଭା ବ୍ୟବସ୍ଥା ନଥିବା କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଆଦୌ ହୋଇନଥାଏ । ଏଠାରେ ଉପରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀଙ୍କ ହାତରେ ଶାସନ କ୍ଷମତା ରହିଥାଏ । ଏଠାରେ କେନ୍ଦ୍ରର ସମସ୍ତ ନିୟମ କାନୁନୁ ଲାଗୁ ହୋଇଥାଏ । ଏଠାରେ ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରିଥାଏ । ସେହିଭଳି ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥାନ୍ତି । ତେବେ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପଡୋଶୀ ରାଜ୍ୟର ହାଇକୋର୍ଟ ଉପରେ ନିର୍ଭର କରିଥାନ୍ତି ।
କାହିଁକି ଗଠନ ହୁଏ କେନ୍ଦ୍ର ଶାସିତ ଅଞ୍ଚଳ :
କୌଣସି ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ କରିବା ପଛରେ ଅନେକ କାରଣ ରହିଥାଏ । ଉକ୍ତ ଅଞ୍ଚଳ ଆକାରରେ ଛୋଟ ହୋଇଥିବ, କମ ଜନସଂଖ୍ୟା, ଅନ୍ୟ ରାଜ୍ୟ ଠାରୁ ଦୂରରେ ରହୁଥିବ କିମ୍ବା ଭିନ୍ନ ସଂସ୍କୃତି ରହିଥିବ ସେଭଳି କ୍ଷେତ୍ରରେ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ହୋଇଥାଏ । ଏପରିକି ବିଭିନ୍ନ ରାଜନୈତିକ କାରଣ ଓ ଦେଶର ସୁରକ୍ଷା ପାଇଁ ମଧ୍ୟ ଯେକୌଣସି କ୍ଷେତ୍ର କିମ୍ବା ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇପାରିବ । ଏବେ ଥିବା ୭ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆଣ୍ଡାମାନ ନିକୋବର ଓ ଲାକ୍ଷାଦୀପ ଭାରତର ମୁଖ୍ୟ ଭୂମି ଠାରୁ ବେଶ ଦୂରରେ ରହିଛି । ତେଣୁ ଏହି ଦ୍ୱୀପ ଗୁଡିକରେ ଜରୁରୀ କାଳୀନ ପରିସ୍ଥିତିରେ କେନ୍ଦ୍ର ସରକାର ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ସେହିଭଳି ଦାଦରା ନଗର ହାବେଳୀ, ଡାମନ ଓ ଡିଓ ଏବଂ ପଣ୍ଡିଚେରୀରେ ଭିନ୍ନ ସଂସ୍କୃତି କାରଣରୁ ଏହାକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଦେଶର ରାଜଧାନୀ ଥିବା ଦିଲ୍ଲୀକୁ ସୁରକ୍ଷା କାରଣରୁ ଓ ଚଣ୍ଡିଗଡକୁ ପ୍ରଶାସନିକ ସେବା କାରଣରୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ କରାଯାଇଛି ।