ନେତାଜୀଙ୍କ ଜୟନ୍ତୀରେ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହେଲା ଫ୍ରିଡମ୍ ରନ୍: କଟକରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀଙ୍କ ସହ ରାଜନେତା ଓ ସେଲିବ୍ରିଟି

66

କନକ ବ୍ୟୁରୋ: ନେତାଜୀ ଜନ୍ମସ୍ଥାନରେ ସ୍ପିରିଟ୍ ଅଫ ଫ୍ରିଡମ ରନ୍ । ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀରେ କନକ ନ୍ୟୁଜ ପକ୍ଷରୁ କଟକରେ ଆୟୋଜନ କରାଯାଇଛି ମିନି ମାରାଥନ୍ । ଏଥିପାଇଁ ଆଜି ସକାଳ ପ୍ରାୟ ସାଢେ ୬ଟାରୁ ଆରମ୍ଭ ହୋଇଥିଲା ପ୍ରତିଯୋଗୀଙ୍କ ପଞ୍ଜିକରଣ । ସମସ୍ତଙ୍କୁ ଏକାପ୍ରକାର ଟି-ସାର୍ଟ ପ୍ରଦାନ କରାଯିବା ପରେ ମାରାଥମ ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଶତାଧିକ ଆଥଲେଟ୍, ଛାତ୍ରଛାତ୍ରୀ ଓ କଟକ ବାସିନ୍ଦାଙ୍କୁ ନେଇ ମାରିଟାଇମ ମ୍ୟୁଜିୟମରୁ ବାହାରିଥିଲା ଏହି ମିନି ମାରାଥନ୍ । କଟକ ମହାନଗର ନିଗମର ମେୟର ସୁବାସ ସିଂ ଏବଂ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ ।

କନକ ନ୍ୟୁଜର ଆଡ ସେଲ୍ସ ଟିମ୍ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିଲେ । ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ପ୍ରସ୍ତୁତ ରଖାଯାଇଥିଲା ଆମ୍ବୁଲାନ୍ସ । ପ୍ରତିଯୋଗୀଙ୍କ ପଛେ ପଛେ ଆମ୍ବୁଲାନ୍ସ ଚାଲିଥିଲା । ବାଟରେ ପାଣିର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ପରାକ୍ରମ ଦିବସରେ ଧଳା କୁର୍ତା ପିନ୍ଧି ପ୍ରତିଯୋଗୀଙ୍କ ମାରାଥନ ଦୌଡ, ବେଶ ଚିତାକର୍ଷକ ହୋଇପାରିଛି । ନେତାଜୀ ଜୟନ୍ତୀରେ ଏକପ୍ରକାର ପ୍ରଦର୍ଶିତ ହୋଇଛି ଯୁବଶକ୍ତି । କଟକ ମାରିଟାଇମ ମ୍ୟୁଜିୟମରୁ ବାହାରି ମିନି ମାରାଥନ ବାଲିଯାତ୍ରା ପଡିଆରେ ପହଂଚିଥିଲା । ଏଥିରେ ପ୍ରଥମ ୧୦ଜଣ କୃତି ପ୍ରତିଯୋଗୀଙ୍କୁ ମେଡାଲ ଦେଇ ସମ୍ମାନିତ କରିଥିଲେ ମେୟର ସୁବାସ ସିଂଙ୍କ ସହ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଓ କନକ ନ୍ୟୁଜ ଏଡିଟର ।

୧୨ ମାସରେ ୧୩ ଯାତ୍ରା ଭଲି ସମ୍ବାଦ ଗ୍ରୁପ ପକ୍ଷରୁ ବର୍ଷତମାମ କିଛି ନା କିଛି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି । ଏହି କ୍ରମରେ ନେତାଜୀ ଜୟନ୍ତୀ ଅବସରରେ ସଫଳତାର ସହ ଆୟୋଜନ ହୋଇଛି ସ୍ପିରିଟ୍ ଅଫ ଫ୍ରିଡମ ରନ୍ ।